ଆସୁଛି କି କରୋନାର ଚତୁର୍ଥ ଲହର! ଚୀନ୍ ଓ ଜର୍ମାନୀରେ ଦୈନିକ ସଂକ୍ରମଣ ଉପରମୁହାଁ, ଜାଣନ୍ତୁ ପୂରା ଖବର

 

ଥରକୁ ଥର ବିଶ୍ୱକୁ ଭୟ ଦେଖାଇବା ପରେ ଏବେ ପୁଣି ଥରେ ନୂଆ ରୂପରେ ଫେରୁଛି କରୋନା। କରୋନାର ତୃତୀୟ ଲହର ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଚତୁର୍ଥ ଲହରକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଖାସ୍ କରି କରୋନାର ଉତ୍ପତ୍ତି ସ୍ଥଳ ଚୀନ୍ ସମେତ ଜର୍ମାନୀ ଏବଂ ବ୍ରିଟେନରେ ହଠାତ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ଦେଖିବାକୁ ମିଳିଛି।

ଏପରିକି ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢ଼ିବା ଯୋଗୁ ଚୀନ୍ ୯ ନିୟୁତ ଲୋକ ବସବାସ କରୁଥିବା ଚାଙ୍ଗଚୁନ ସହରରେ ଲକ୍‌ଡାଉନ୍ ଲାଗୁ କରିଛି। ନୂଆ ଲକଡାଉନ ନିୟମ ଅନୁଯାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଘର ଭିତରେ ରହିବା ପାଇଁ କୁହାଯାଇଛି। ସପ୍ତାହକୁ ଗୋଟିଏ ଦିନ ପରିବାରର ଜଣେ ସଦସ୍ୟଙ୍କୁ ବଜ଼ାରକୁ ଯାଇ ଦରକାର ସାମଗ୍ରୀ ଆଣିବା ପାଇଁ ଅନୁମତି ଦିଆଯାଇଛି। ଗତ ଶନିବାର ଚୀନରେ ଦୈନିକ ୩,୩୦୦ ରୁ ଅଧିକ ନୂଆ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ଗୋଟିଏ ଦିନରେ ଚୀନରେ ଏହା ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ବୋଲି କୁହାଯାଉଛି।

ସେହିପରି ଜର୍ମାନୀରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି ଏଠାରେ ଦୈନିକ ଅଢେ଼ଇ ଲକ୍ଷ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ମାର୍ଚ୍ଚ ମାସରେ ହଠାତ ସଂକ୍ରମଣ ବଢିବାରୁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢୁଥିବା କୁହାଯାଇଛି। ଅନ୍ୟପକ୍ଷରେ ଚୀନରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୦% ରୁ ଅଧିକଙ୍କ ଠାରେ କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳୁନାହିଁ। ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଏବଂ ୱାର୍କ ଫ୍ରମ୍ ହୋମ୍ ଭଳି ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ଏଥିସହିତ ଚୀନ ଟେଷ୍ଟଟିଂ ଉପରେ ଖାସ ଧ୍ୟାନ ଦେଇଛି। ସ୍ବୟଂ ପରୀକ୍ଷଣ ପାଇଁ ସ୍ଥାନୀୟ କମ୍ପାନିଗୁଡିକ ଦ୍ବାରା ନିର୍ମିତ ଅନ୍ୟ ୪ଟି କୋଭିଡ୍‌-୧୯ ଆଣ୍ଟିଜେନ୍ କିଟ୍‌କୁ ଚୀନ୍ ଅନୁମୋଦନ ଦେଇଛି। ଫଳରେ ଲୋକେ ବଜ଼ାରରୁ ଏହି କିଟ୍ ଗୁଡିକ ଆଣି ନିଜେ ପରୀକ୍ଷା କରିପାରିବେ।