ଆସୁଛି ରାଷ୍ଟ୍ରପତି ନିର୍ବାଚନ: ବିଜେପି ତରଫରୁ ପ୍ରାର୍ଥୀ ହେବେ କି ଜୁଏଲ ଓରାମ, ଜାଣନ୍ତୁ ପୂରା ଖବର

 

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଧିସୂଚନା ଜାରି କରିଛନ୍ତି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ, ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନାଁକୁ ଚର୍ଚ୍ଚା ଜୋର ଧରିଛି।

ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଏଲ ଓରାମଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ ଭାବରେ ଚୟନ କରାଯିବ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏଥିନେଇ ପଚରା ଯାଇଥିବା ବେଳେ ଏବେ ସେହି ବିଷୟରେ କିଛି କହି ହେବନାହିଁ ବୋଲି ଶ୍ରୀ ଓରାମ କହିଛନ୍ତି। ବିଜେପି ପକ୍ଷରୁ ପ୍ରାର୍ଥୀ ହେଲେ ରାଷ୍ଟ୍ରପତି ନିର୍ବାଚନ ଜିତିବା ସହଜ ହୋଇଯିବ ତେଣୁ ଜୁଏଲ ଓରାମ ଭାରତର ଆଗାମୀ ରାଷ୍ଟ୍ରପତି ହୋଇ ପାରନ୍ତି ବୋଲି ଆଶା କରାଯାଉଛି।

ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଅବଧି ଜୁଲାଇ ୨୫ରେ ସାରି ଯାଉଥିବା ବେଳେ ଆଗାମୀ ନିର୍ବାଚନ ପାଇଁ ଜୁନ୍ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ୍ ୨୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ। ଜୁନ୍ ୩୦ରେ ନାମାଙ୍କନ ଯାଞ୍ଚ ହେବା ସହ ଜୁଲାଇ ୨ ପର୍ଯ୍ୟନ୍ତ ନାମ ପ୍ରତ୍ୟାହାର କରାଯାଇ ପାରିବ। ସଂସଦ ଏବଂ ବିଧାନସଭାରେ ଏହି ମତଦାନ ହେବ। ରାଜ୍ୟସଭାର ମହାସଚିବ ନିର୍ବାଚନ ଦାୟିତ୍ୱରେ ରହିବେ, ଏହି ସମୟରେ ସମସ୍ତ କରୋନା ପ୍ରୋଟୋକଲ ପାଳନ କରାଯିବ।