ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ଆଭିମୁଖ୍ୟକୁ ନେଇ ଏପରି କଥା କହିଲେ ଜୋ ବାଇଡେନ, କହିଲେ ଭାରତ...

 

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ସାଙ୍ଘାତିକ ପରିସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ ଋଷ ୟୁକ୍ରେନର ବିଭିନ୍ନ ସହର ଉପରେ ବୋମାମାଡ଼ କରି ଚାଲିଥିବା ବେଳେ ୟୁକ୍ରେନ ଏହାର କଡ଼ା ପ୍ରତିରୋଧ କରୁଛି। ଏହାରି ଭିତରେ ଆମେରିକା ଏବଂ ଅଷ୍ଟ୍ରେଲିଆ ପରେ କିଛି ଦେଶ ଋଷର ଅଭମୁଖ୍ୟକୁ କଡା ନିନ୍ଦା କରୁଛନ୍ତି। କିନ୍ତୁ, ଭାରତ ଋଷକୁ ସିଧାସଳଖ ସମାଲୋଚନା କରିବା ଠାରୁ ଦୂରେଇ ରହିଛି।

ଏଥିନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ଯେଉଁଥିରେ ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତର ଏପର୍ଯ୍ୟନ୍ତ ଦୃଢ଼ ପ୍ରତିକ୍ରିୟା ଆସିପାରିନଥିବା ସେ କହିଛନ୍ତି। ସିଧାସଳଖ ସମାଲୋଚନା କରିବା ପରିବର୍ତ୍ତେ ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ କଥା ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରି ଯୁଦ୍ଧ ଶେଷ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଥିଲେ।

ଭାରତର ଏଭଳି ଆଭିମୁଖ୍ୟକୁ ଅନେକ ଦେଶ ପ୍ରଶଂସା କରିଛନ୍ତି। ଗତକାଲି ଭାରତରେ ଅଷ୍ଟ୍ରେଲୀୟ ହାଇ କମିଶନର ଭାବେ ନିଯୁକ୍ତ ବରୀ ଓ’ଫରେଲ ‘କ୍ୱାଡ’ ଦେଶ ଭାରତର ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ପୂର୍ବରୁ ଋଷ ସହିତ ଭାରତର ଭଲ ସଂପର୍କ ରହି ଆସିଥିବା ବେଳେ ଭାରତ ଏହି ମଧୁର ସମ୍ପର୍କକୁ ଋଷ-ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ବ୍ୟବହାର କରୁଥିବା ଜଣାଯାଇଛି।