ଶ୍ରୀଲଙ୍କା ପାଇଁ ସଙ୍କଟମୋଚକ ମୋଦି, ଏବେ ସୁଦ୍ଧା ଏତେ କୋଟି ଡଲାର ଆର୍ଥିକ ସହାୟତା ଯୋଗାଇ ସାରିଛି ଭାରତ

 

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପଡ଼ୋଶୀ ଦେଶ ଶ୍ରୀଲଙ୍କା। ଏଭଳି ପରିସ୍ଥିତିରେ ସାହାଯ୍ୟର ହାତ ବଢାଇଛି ଭାରତ। ଚଳିତ ବର୍ଷ ଜାନୁୟାରୀରୁ ଏବେ ସୁଦ୍ଧା ଭାରତ ଶ୍ରୀଲଙ୍କାକୁ ପ୍ରାୟ ୨୫୦ କୋଟି ଡଲାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଶ୍ରୀଲଙ୍କାରେ ଥିବା ଭାରତର ଉଚ୍ଚ କମିଶନର ଗୋପାଳ ବାଗଲେ ସୂଚନା ଦେଇଛନ୍ତି। ଏଥିସହିତ ଶ୍ରୀଲଙ୍କାର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ସମ୍ପୂର୍ଣ୍ଣ ସହାୟତା ଯୋଗାଇବ ବୋଲି ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଭାରତ ଶ୍ରୀଲଙ୍କାର ସହାୟତା ପାଇଁ ୪୦,୦୦୦ ମେଟ୍ରିକ୍ ଟନ୍ ଡ଼ିଜେଲ୍ ଯୋଗାଇ ଦେଇଛି। କେବଳ ଏତିକି ନୁହେଁ ଭାରତ ଶ୍ରୀଲଙ୍କାକୁ ୧ ବିଲିୟନ ଡଲାରର କ୍ରେଡିଟ୍ ଲାଇନ୍ ସହାୟତା ଦେବା ପାଇଁ ମଧ୍ୟ ରାଜି ହୋଇଯାଇଛି। ପୂର୍ବରୁ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ୧୫୦,୦୦୦ ମେଟ୍ରିକ ଟନରୁ ଅଧିକ ଜେଟ ଇନ୍ଧନ, ଡିଜେଲ ଏବଂ ପେଟ୍ରୋଲ ଯୋଗାଇ ଦିଆଯାଇଛି।

ଆର୍ଥିକ ଏବଂ ଶକ୍ତି ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ସରକାର ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଏଠାରେ ହେଉଥିବା ହିଂସାକାଣ୍ଡକୁ ରୋକିବା ପାଇଁ ଶ୍ରୀଲଙ୍କା ସରକାରଙ୍କ ତରଫରୁ ୩୬ ଘଣ୍ଟିଆ ଲକଡାଉନ ମଧ୍ୟ ଘୋଷଣା କରାଯାଇଥିଲା। ଉତ୍କଟ ସମସ୍ୟା ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ଦିନକୁ ହେଉଛି ୧୦ ଘଣ୍ଟାର ବିଜୁଳି କାଟ୍ ହେଉଛି। କେବଳ ଏତିକି ନୁହେଁ ପିଲାଙ୍କ ପାଇଁ କାଗଜ ଓ କଲମ ଅଭାବରୁ ଏଠରେ ଶିକ୍ଷା ବ୍ୟବସ୍ଥା ଠପ୍ ହୋଇଯାଇଛି। ଏପରିକି ଲୋକେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପରି ମୌଳିକ  ଅଧିକାର ଠାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି।