ଇସ୍ତଫା ଦାବି ଜୋର ଧରିଥିବା ବେଳେ ଭାରତକୁ ମନେ ପକାଇଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, କହିଲେ ମୁଁ ଭାରତକୁ...

 

ନିକଟ ଭବିଷ୍ୟତରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ଇମ୍ରାନ ଖାଁ। ଚଳିତ ମାସରେ ଇସଲାମାବାଦରେ ହେବାକୁ ଥିବା ଇସଲାମିକ ସହଯୋଗ ସଂଗଠନ (ଓଆଇସି)ର ଶିଖର ସମ୍ମିଳନୀ ପରେ ପରେ ସେ ଏଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି ସୂଚନା ମିଳୁଛି। ପାକିସ୍ତାନର ବର୍ତ୍ତମାନ ସମୟର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ନେତୃତ୍ୱରେ ଥିବା ପାକିସ୍ତାନ ସେନାର ଶୀର୍ଷ ମଣ୍ଡଳୀ ତରଫରୁ ଇସ୍ତଫା ଦେବା ପାଇଁ ଇମ୍ରାନଙ୍କ ଉପରେ ଚାପ ପ୍ରୟୋଗ କରଯାଉଥିବା ସୂଚନା ମିଳିଛି।

ତେବେ, ଇସ୍ତଫା ଦେବାର କିଛି ଦିନ ପୂର୍ବରୁ ଭାରତର ବୈଦେଶିକ ନୀତିକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ଇମ୍ରାନ ଖାଁ। ଭାରତ ଆମେରିକା ସହିତ କ୍ୱାଡର ଏକ ଅଂଶ ହୋଇ ରହିଛି। ଗୋଟିଏ ପଟେ ଆମେରିକା ଋଷରୁ ତୈଳ ଆମଦାନୀକୁ ବିରୋଧ କରୁଥିବା ବେଳେ ଭାରତ କିନ୍ତୁ ତୈଳ ଆମଦାନୀ ଜାରି ରଖିଛି। ସ୍ବାଧୀନ ବୈଦେଶିକ ନୀତି ଅପଣାଇଥିବା ଭାରତ ଯେଉଁଭଳି ଭାବରେ ପ୍ରତିବନ୍ଧକ ସତ୍ତ୍ବେ ଋଷ ଠାରୁ ତୈଳ ଆମଦାନୀ କରୁଛି ତାହାକୁ ଇମ୍ରାନ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ ପ୍ରତିବନ୍ଧକ ସତ୍ତ୍ୱେ ଭାରତ ଲୋକମାନଙ୍କ ଉନ୍ନତି ପାଇଁ ନିଜ ବୈଦେଶିକ ନୀତିକୁ ପ୍ରୟୋଗ କରୁଛି ଯାହା ପ୍ରଶଂସାଯୋଗ୍ୟ ଅଟେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେନା ମୁଖ୍ୟ ତଥା ଲେଫ୍‌ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମ, ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍‌ସର ମହାନିର୍ଦ୍ଦେଶକ ଇମ୍ରାନ ଖାନଙ୍କୁ ଭେଟିବା ପରେ ହିଁ ତାଙ୍କର ଇସ୍ତଫାକୁ ନେଇ ନିଷ୍ପତ୍ତି ହୋଇଥିଲା। ପୂର୍ବତନ ସେନା ମୁଖ୍ୟ ଜେନେରାଲ ରାହିଲ ସରିଫ ବାଜୱାଙ୍କ ସହିତ ଆଲୋଚନା କରିବା ପରେ ଇମ୍ରାନଙ୍କ ସରକାର ବଞ୍ଚିପାରିବ ବୋଲି ଆଶା କରାଯାଉଥିଲେ ହେଁ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଛି।