ନୂଆ ସଂସଦ ଭବନ ଉପରେ ଅନାବରଣ ହୋଇଥିବା ଅଶୋକ ସ୍ତମ୍ଭକୁ ନେଇ ବିବାଦ! ଜାଣନ୍ତୁ ସିଂହର ଉଗ୍ର ମୁହଁ କାହିଁକି?

 

ନୂଆ ସାଂସଦ ଭବନ ଉପରେ ଏକ ବିଶାଳକାୟ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ, ଏହି ନୂଆ ଅଶୋକ ସ୍ତମ୍ଭର ଗଠନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ। ଭାରତର ଜାତୀୟ ଚିହ୍ନ ଭାବରେ ଗ୍ରହଣ କରାଯାଇଥିବା ଅଶୋକ ସ୍ତମ୍ଭ ଏବଂ ଏହି ଅଶୋକ ସ୍ତମ୍ଭ ମଧ୍ୟରେ ପାର୍ଥକ୍ୟ ରହିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଯଥାଶୀଘ୍ର ଏହି ନୂଆ ଅଶୋକ ସ୍ତମ୍ଭକୁ ବଦଳାଇ ଦିଆଯାଉ ବୋଲି ବିଭିନ୍ନ ମହଲରୁ ଚାପ ପ୍ରୟୋଗ ହେଉଛି।

ଟିଏମସି ସାଂସଦ ଜୱାହର ସିରକାର ଏହି ନୂତନ ଅଶୋକ ସ୍ତମ୍ଭର ନିର୍ମାଣକୁ ବିରୋଧ କରିବା ସହିତ ଏହା ଜାତୀୟ ପ୍ରତୀକ ପ୍ରତି ଅପମାନ ବୋଲି ଦର୍ଶାଇଛନ୍ତି। ପୁରୁଣା ଅଶୋକସ୍ତମ୍ଭରେ ଥିବା ସିଂହମାନେ ଅନୁଶାସନପ୍ରିୟ ଓ ଆତ୍ମବିଶ୍ୱାସ ଭରା ଦେଖାଯାଉଥିବାବେଳେ ମୋଦୀଙ୍କ ଦ୍ୱାରା ସଂସଦଭବନ ଉପରେ ନିର୍ମିତ ନୂଆ ଅଶୋକ ସ୍ତମ୍ଭର ସିଂହମାନେ ହିଂସ୍ର, ଅନାବଶ୍ୟକ ଭାବେ ଆକ୍ରାମକ ଓ ଅସଂଗତ ଦେଖାଯାଉଛନ୍ତି ବୋଲି ସେ କହିଛନ୍ତି।

ଏହା ବ୍ୟତୀତ କଂଗ୍ରେସ ନେତା ଜୟରାମ ରମେଶ, ଐତିହାସିକ ଇର୍ଫାନ ହବିବ, ଆପ ନେତା ସଂଜୟ ସିଂଙ୍କ ସମେତ ଅନେକ ନେତା ଏହାକୁ ବିରୋଧ କରିଛନ୍ତି। ଏହା ବ୍ୟତୀତ ଲୋକସଭା ବାଚସ୍ପତିଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ କଣ ପାଇଁ ଏହି ସ୍ତମ୍ଭର ଅନାବରଣ କରିଲେ ସେଥିନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ଜାଣିଶୁଣି ମୂର୍ତ୍ତିଟିର ଆକାର ବଦଳା ଯାଇଥିବା ଅଭିଯୋଗକୁ ଏହାକୁ ତିଆରି କରିଥିବା କାରିଗର ସୁନିଲ ଦେଓରେ ଓ ତାଙ୍କ ଟିମ୍ ଖଣ୍ଡନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶାସନ, ସଂସ୍କୃତି ଓ ଶାନ୍ତିର ପ୍ରତୀକ ଅଶୋକ ସମ୍ଭକୁ ୧୯୫୦ ଜାନୁଆରୀ ୨୬ରେ ଜାତୀୟ ଚିହ୍ନ ଭାବରେ ଗ୍ରହଣ କରାଯାଇଥିଲା। କଳିଙ୍ଗ ସମ୍ରାଟ ଅଶୋକ ଏହାର ହଜ଼ାର ବର୍ଷ ପୂର୍ବରୁ ହିଁ ଅଶୋକ ସ୍ତମ୍ଭର ପରିକଳ୍ପନା କରିଥିଲେ। ଅଶୋକ ସ୍ତମ୍ଭରେ ୪ଟି ସିଂହ ରହିଥିବା ବେଳେ ସାମ୍ନାରୁ କେବଳ ୩ଟିଙ୍କୁ ଦେଖିବାକୁ ମିଳିଥାଏ। ଅଶୋକ ସ୍ତମ୍ଭରେ ତଳଆଡକୁ ଏକ ଷଣ୍ଢ ଓ ଘୋଡାର ଚିହ୍ନ ରହିଛି। ଏହି ୨ ଚିହ୍ନ ମଝିରେ ଏକ ଚକ୍ର ରହିଛି, ଯାହା ଭାରତର ଜାତୀୟ ପତାକାରେ ବ୍ୟବହାର କରାଯାଇଛି। ଅଶୋକ ସ୍ତମ୍ଭରେ ତଳକୁ ଲେଖାଅଛି 'ସତ୍ୟ ମେବ ଜୟତେ' ଉଲ୍ଲେଖ କରାଯାଇଛି।