ତୁଟିଲା ଧନୀ ହେବାର ମୋହ! ଏବେ ୨୦ ଅରବ ଡଲାର ସମ୍ପତ୍ତି ଦାନ କରିବେ ବିଲ୍ ଗେଟ୍ସ, ଜାଣନ୍ତୁ କାହିଁକି ନେଲେ ଏମିତି ନିଷ୍ପତ୍ତି

 

ଦୀର୍ଘଦିନ ଧରି ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ହୋଇ ରହିବା ପରେ ଏବେ ଏଥିପ୍ରତି ବିଲ୍ ଗେଟ୍ସଙ୍କ ମୋହ ତୁଟିଯାଇଛି। ଆଗକୁ ସେ ଅଧିକ ଧନୀ ହେବାକୁ ଚାହୁଁନାହାଁନ୍ତି ବରଂ ତାଙ୍କର ଉପାର୍ଜିତ ଧନରୁ କିଛି ଅଂଶ ଲୋକଙ୍କ ସହାୟତା ପାଇଁ ଦାନ କରିବାକୁ ଚାହୁଁଥିବା ସେ କହିଛନ୍ତି। ଲୋକଙ୍କ ସହାୟତା ପାଇଁ Bill and Melinda Gates Foundation ମାଧ୍ୟମରେ ସେ ୨୦ ଆରବ ଡଲାର ଦାନ କରିଥିବା ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍‌ ଗେଟ୍ସ ସୂଚନା ଦେଇଛନ୍ତି।

ଏକ ଟ୍ୱିଟ ମାଧ୍ୟମରେ ସେ ଲେଖିଛନ୍ତି ଯେ,"ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରୁ ତଳକୁ ଖସି ଯିବାକୁ ମୁଁ ଚାହୁଁଛି ଓ ଶେଷରେ ଏହି ତାଲିକାରୁ ବାଦ୍‌ ପଡ଼ିବାକୁ ଯାଉଛି। ମୋ ଟଙ୍କାକୁ ସମାଜର ହିତରେ ଦାନ କରିବାକୁ ଚାହୁଁଛି। ଯେଉଁଥିରେ ଲୋକଙ୍କ ଜୀବନରେ ସୁଧାର ଆସିବ। ମୁଁ ଆଶା କରୁଛି, ଅନ୍ୟମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବେ’। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଲ ଗେଟ୍ସ ଏବଂ ତାଙ୍କ ପତ୍ନୀ ୨୦ ବର୍ଷ ତଳେ (Bill and Melinda Gates Foundation)ର ସ୍ଥାପନା କରିଥିଲେ।

ବିଲ ଗେଟ୍ସଙ୍କର ଏହି ଦାନ ପରେ ଏବେ ଏହି ଚ୍ୟାରିଟି ସଂସ୍ଥା ପାଖରେ ୭୦ ଆରବ ଡଲାରର ଜମାରାଶି ହୋଇଯିବ। ଯାହାକି ପରବର୍ତ୍ତୀ ସମୟରେ ଲୋକଙ୍କ ସହାୟତା ପାଇଁ ଖର୍ଚ୍ଚ କରାଯିବ। କେବଳ ଯେ ବିଲ ଗେଟ୍ସ ତାହା ନୁହେଁ Berkshire Hathawayର ମୁଖ୍ୟ ତଥା ଆମେରିକାର ବରିଷ୍ଠ ନିବେଶକ ୱାରେନ୍‌ ବଫେଟ୍‌(Warren Buffett) ଗତ ମାସରେ ବିଲ୍‌ ଗେଟ୍ସ ଫାଉଣ୍ଡେସନକୁ ୩.୧  ଅରବ ଡଲାର ଦାନ ଲାଗି ଘୋଷଣା କରିଥିଲେ। ୨୦୨୬ ସୁଦ୍ଧା ଗେଟ୍ସ ଏହି ସଂସ୍ଥାର ବାର୍ଷିକ ବଜେଟକୁ ୫୦% ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।

Bloomberg's Billionaire Index ଅନୁସାରେ, ୧୧୩ ଅରବ ଡଲାର ନେଟ୍‌ୱର୍ଥ ସହ ବିଲ୍‌ ଗେଟ୍ସ ବିଶ୍ୱର ସବୁଠାରୁ ୪ର୍ଥ ଧନୀ ବ୍ୟକ୍ତି ଅଟନ୍ତି। ତେବେ, ୨୦ ଆରବ ଡଲାର ଦାନ କରିବା ପରେ ସେ ୮ମ ସ୍ଥାନକୁ ଖସି ଆସିବେ। ଏଠାରେ କହି ରଖୁଛୁ ଯେ ୨୧୭ ଅରବ ଡଲାର ନେଟ୍‌ୱର୍ଥ ସହିତ ଟେସଲା ସିଇଓ ଏଲନ ମସ୍କ ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି। ତାଙ୍କ ପଛକୁ ଆମାଜନ୍‌ ଫାଉଣ୍ଡର ଜେଫ୍ ବେଜସ୍ ୧୩୪ ଅରବ ଡଲାର ସହିତ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।