ଅଜବ୍ ମାମଲା: ମାତ୍ର ୩୨ ପଇସା ପାଇଁ NOC ଦେଲାନାହିଁ ବ୍ୟାଙ୍କ! କୋର୍ଟର ଦ୍ୱାରସ୍ତ ହେଲେ ଚାଷୀ, ଆଉ ତାପରେ...

 

ଋଣ ନେବାପରେ ଟଙ୍କା ସୁଝିବା କାଠିକର ପାଠ ହୋଇଥାଏ। ଖାସ୍ କରି ବ୍ୟାଙ୍କର ଋଣ ଠିକ ସମୟରେ ପରିଶୋଧ କରି ନ ପାରିଲେ ଏହା ବହୁତ ସମସ୍ୟା ସୃଷ୍ଟି କରିଥାଏ। କିନ୍ତୁ, ଋଣ ଟଙ୍କା ଫେରସ୍ତ କରିବା ପରେ ମଧ୍ୟ ଅହମଦାବାଦର ଜଣେ ଚାଷୀଙ୍କୁ ଏଥିପାଇଁ ହଟହଟା ହେବାକୁ ପଡ଼ିଛି। ମାତ୍ର ୩୨ ପଇସା ପାଇଁ ଏହି ଚାଷୀ ଜଣଙ୍କୁ କୋର୍ଟର ଦ୍ୱାରସ୍ତ ହେବାକୁ ପଡ଼ିଛି।

ବିଶ୍ୱାସ ହେଉନଥିଲେ ହେଁ କଥାଟି ସମ୍ପୂର୍ଣ୍ଣ ସତ। ଘଟଣା ଅନୁଯାଇ ଏହି ଚାଷୀ ଜଣକ ଅହମଦାବାଦର ଖୋରାଜ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ଜମି କିଣିଥିଲେ। ଜମି ବିକ୍ରି କରିଥିବା ବ୍ୟକ୍ତି ଜଣକ ଉକ୍ତ ଜମି ବନ୍ଧକ ରଖି ବ୍ୟାଙ୍କରୁ ଟଙ୍କା ନେଇଥିଲେ। ତେଣୁ, ଜମି ବିକ୍ରୟ ହୋଇନପାରିବାରୁ ଚାଷୀ ଜଣକ ବ୍ୟାଙ୍କର ସବୁ ଟଙ୍କା ସୁଝି ଦେଲେ। ଯାହାପରେ ସେ ନୋ ଡ୍ୟୁଜ୍‌ ସାର୍ଟିଫିକେଟ୍ ବା NOC ପାଇଁ ଏସବିଆଇ ଶାଖାରେ ପହଞ୍ଚିଥିଲେ।

ତେବେ, ସେଠାରେ ବ୍ୟାଙ୍କ କର୍ମଚାରୀ ଜଣକ ମାତ୍ର ୩୨ ପଇସା ବାକି ଥିବାରୁ NOC ଦେଇ ହେବନାହିଁ ବୋଲି ସ୍ପଷ୍ଟ ଭାବରେ ଶୁଣାଇ ଦେଇଥିଲେ। ଏହି ମାମଲା କୋର୍ଟରେ ପହଞ୍ଚିବା ପରେ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ୫୦ ପଇସାରୁ କମ ଥିବା ଋଣ ରାଶିକୁ ଅଣଦେଖା କରାଯିବା ଉଚିତ ବୋଲି ବ୍ୟାଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓକିଲଙ୍କୁ ବିଚାରପତି କହିଥିଲେ। ତେବେ, ମାତ୍ର ୩୨ ପଇସା ପାଇଁ ଚାଷୀ ଜଣଙ୍କୁ NOC ନ ଦେବା ଏକ ପ୍ରକାର ମାନସିକ ଉତ୍ପୀଡ଼ନ ବୋଲି ବିଚାରପତି ଉଲ୍ଲେଖ କରିଛନ୍ତି। ଏହି ମାମଲାର ଶେଷ ଶୁଣାଣି ମେ ୨ ତାରିଖରେ ହେବାକୁ ଯାଉଥିବା ଜଣାଯାଇଛି।