ୟୁକ୍ରେନରେ ଚାଲିଗଲା ଦ୍ଵିତୀୟ ଭାରତୀୟ ଛାତ୍ରଙ୍କ ଜୀବନ, ଯୁଦ୍ଧ ନୁହେଁ ବରଂ ଏହି କାରଣ ବଶତଃ ହେଲା ଛାତ୍ରଙ୍କ ମୃତ୍ୟୁ

 

ୟୁକ୍ରେନରୁ ପୁଣିଥରେ ଆସିଲା ଦୁଃଖଦ ଖବର, ଦୁଇଦିନ ଭିତରେ ଚାଲିଗଲା ଦୁଇ ଭାରତୀୟଙ୍କର ଜୀବନ। ପୂର୍ବରୁ ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ନବୀନ ନାମକ ଜଣେ ଯୁବକଙ୍କ ଋଷ ବୋମା ମାଡ଼ରେ ମୃତ୍ୟୁ ବରଣ କରିଥିବା ବେଳେ ଏବେ ୟୁକ୍ରେନରେ ଆଉ ଜଣେ ଭାରତୀୟଙ୍କର ଜୀବନ ଚାଲିଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଋଷ-ୟୁକ୍ରେନ ଯୁଦ୍ଧ ହେତୁ ସେଠାରେ ହଜ଼ାର ହଜ଼ାର ଭାରତୀୟ ଫସି ରହିଛନ୍ତି।

ମୃତ୍ୟୁ ବରଣ କରିଥିବା ଯୁବକଙ୍କ ନାମ ଚନ୍ଦନ ଜିନ୍ଦଲ(୨୨) ବୋଲି ଜଣାପଡ଼ିଛି। କିନ୍ତୁ, ମିଳିଥିବା ସୂଚନା ଅନୁଯାଇ ବୋମାମାଡ଼ ନୁହେଁ ବରଂ ବ୍ରେନ ଷ୍ଟ୍ରୋକ ହେତୁ ଚନ୍ଦନଙ୍କର ମୃତ୍ୟୁ ହୋଇଛି। ଚନ୍ଦନ ଜିନ୍ଦଲ ୟୁକ୍ରେନର ଭିନିଟିସିଆ ନ୍ୟାସନାଲ ପାଇରୋଗୋଭ ମେମୋରିଆଲ ମେଡିକାଲ ୟୁନିଭରସିଟିରେ ଅଧ୍ୟୟନ କରୁଥିଲେ। ଗତକାଲି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଭିନିଟିସିଆର ଜରୁରୀକାଳୀନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଚନ୍ଦନଙ୍କର ମସ୍ତିଷ୍କରେ ଇସକିମିଆ ଷ୍ଟ୍ରୋକ ହୋଇଥିବା ଜଣାପଡିଥିଲା। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ହେଁ, ଚିକିତ୍ସିତ ହେଉଥିବା ସମୟରେ ହିଁ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଏହି ଦୁଃଖଦ ଖବର ପାଇବା ପରେ ଶେଷ ରୀତିନୀତି ପାଇଁ ତାଙ୍କ ଶରୀରକୁ ଭାରତ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଚନ୍ଦନଙ୍କ ପରିବାର ତରଫରୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି।