ପୁଣି ସାଧାରଣ ଲୋକଙ୍କ ମୁଣ୍ଡରେ ଚଡ଼କ, ଏବେ ଭଡାଟିଆଙ୍କୁ ଦେବାକୁ ପଡିବ ୧୮ ପ୍ରତିଶତ GST, ଜାଣନ୍ତୁ ନୂଆ ନିୟମ ସମ୍ପର୍କରେ

 

ଚୁଡା ମୁଢ଼ି ପରେ ଏବେ ଘର ଭଡ଼ା ଉପରେ ମଧ୍ୟ ଲାଗିବ ଜିଏସଟି। ଆଗାମୀ ଅଗଷ୍ଟ ୧୮ ତାରିଖ ଠାରୁ ଘର ଭଡ଼ା ଉପରେ ଜିଏସଟି ଲାଗିବା ଖବର ପାଇବା ପରେ ଘର ମାଲିକଙ୍କ ଭିତରେ ଛନକା ପଶିଯାଇଛି। ଜିଏସଟି ପରିଷଦର ୪୭ ତମ ବୈଠକରେ ଏଭଳି ନିଷ୍ପତ୍ତି ନିଆ ଯାଇଥିବା ଜଣାପଡ଼ିଛି। କେଉଁ କେଉଁ ଭଡ଼ା ଘର ଉପରେ ଜିଏସଟି ଲାଗୁ କରାଯିବ ସେଥିନେଇ ମଧ୍ୟ ସୂଚନା ଦିଆଯାଇଛି।

ତେବେ, ଆବସିକ ଓ ବ୍ୟକ୍ତିଗତ ରହଣୀ ପାଇଁ ଭଡ଼ା ଦିଆଯାଉଥିଲେ ଏଥିପ୍ରତି କୌଣସି ଜିଏସଟି ଲାଗୁ କରାଯିବ ନାହିଁ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି। କେବଳ ବ୍ୟବସାୟିକ ସୂତ୍ରରେ ଘର ଭଡା ଦିଆଗଲେ ସେଥିପାଇଁ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯିବ। ଘରମାଲିକ, ଭଡାଟିଆ ଏବଂ ସାଧାରଣ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଏହା ସ୍ପଷ୍ଟ କରାଯାଇଛି। ତେବେ, ଘରଭଡ଼ା ଉପରେ ଜିଏସଟି ଲାଗୁ କରିବା ନିଷ୍ପତ୍ତିକୁ କିଛି ଲୋକେ ନାପସନ୍ଦ ମଧ୍ୟ କରିଛନ୍ତି।

ଏହାପୂର୍ବରୁ ଜୁଲାଇ ୧୭ ପର୍ଯ୍ୟନ୍ତ ଘର ଭଡା ଉପରେ କୌଣସି ଜିଏସ୍‌ଟି ଲାଗୁ ବ୍ୟବସ୍ଥା ନ ଥିଲା। ଜିଏସଟି ପରିଷଦର ସୁପାରିଶ ପରେ ଜୁଲାଇ ୧୩ରେ ପ୍ରକାଶିତ ବିଜ୍ଞପ୍ତିରେ ଘର ଭଡା ଉପରେ ଜିଏସ୍‌ଟି ଲାଗୁ କରାଯାଇଛି। ତେବେ କେବଳ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଘରଭଡା ଉପରେ ଟିକସ ଆଦାୟ କରାଯିବ, କିନ୍ତୁ ଏହାକୁ ନେଇ ଏବେ ଦ୍ୱନ୍ଦ୍ୱ ରହିଛି। କେଉଁ ଭଡ଼ାଟିଆଙ୍କୁ ଜିଏସ୍‌ଟି ଦେବାକୁ ପଡ଼ିବ ସେ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଆବାସିକ ସ୍ଥଳୀକୁ ବ୍ୟବସାୟିକ ୟୁନିଟ୍‌କୁ ଭଡ଼ାରେ ଦେଇଥିଲେ ସେଥିରେ ଭଡ଼ାଟିଆକୁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିବ ବୋଲି ସରକାର କହିଛନ୍ତି।