ଫୋନକୁ ଚାର୍ଜରେ ବସାଇଥିଲେ ଏହି ଯୁବକ, ହଠାତ ଘଟିଲା ବିସ୍ଫୋରଣ, କ୍ଷତିଗ୍ରସ୍ତ ଫୋନର ଫୋଟୋ ହେଲା ଭାଇରାଲ

 

Xiaomi ଦ୍ୱାରା ପରିଚାଳିତ POCO ବ୍ରାଣ୍ଡ ଚଳିତ ବର୍ଷ ବହୁତ ଭଲ ଏବଂ ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ବର୍ଷ ଶେଷ ସୁଦ୍ଧା କମ୍ପାନୀ ଆହୁରି ଅନେକ ଫୋନ୍ ଆଣିବାକୁ ଯାଉଛି। ତେବେ, ଚଳିତ ବର୍ଷ ମାର୍ଚ୍ଚରେ ଭାରତରେ ଲଞ୍ଚ ହୋଇଥିବା POCO X3 Pro କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଜଣେ ଭାରତୀୟ ଟ୍ୱିଟର ବ୍ୟବହାରକାରୀ ଅମାନ ଭରଦ୍ୱାଜ (@ Ammybhardwaj13) ଏକ ପୋଷ୍ଟ ମାଧ୍ୟମରେ ସେ କିଣିଥିବା POCO X3 Pro ବିସ୍ଫୋଟ ହୋଇଥିବା କହିଛନ୍ତି। ତାଙ୍କ କହିବା ଅନୁଯାଇ ସେ ଫୋନକୁ ଚାର୍ଜରେ ବସାଇଥିଲେ ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ସେ ଚାର୍ଜରରୁ ଫୋନଟିକୁ କାଢ଼ି ଦେଇଥିଲେ। ଫୋନ ଚାର୍ଜରୁ ହଟାଯିବାର ପ୍ରାୟ ୫ ମିନିଟ ପରେ ତାଙ୍କ POCO X3 PRO ବିସ୍ଫୋରଣ ହୋଇଥିଲା। 

ପୀଡିତଙ୍କ କହିବାନୁସାରେ, ସେ ଫୋନଟିକୁ ଦୁଇ ମାସ ପୂର୍ବରୁ କିଣିଥିଲେ। ସେ ନିଜ ପୋଷ୍ଟରେ କ୍ଷତିଗ୍ରସ୍ତ ଫୋନର କିଛି ଚିତ୍ର ଏବଂ ଫୋନର ରସିଦ ମଧ୍ୟ ସେୟାର କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏହି ମଡେଲର ଫୋନ ଏହିପରି ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସେତେବେଳେ POCO କମ୍ପାନୀ ବାହ୍ୟ ଶକ୍ତି ଗୁଡିକୁ ଏଥିପାଇଁ ଦାୟୀ କରିଥିଲା। କିନ୍ତୁ, ଏଥର କମ୍ପାନୀ ଏହି ମାମଲାକୁ ଗୁରୁତର ସହ ନେବ ବୋଲି ଆଶା କରାଯାଉଛି।