ଦେଖନ୍ତୁ ଭିଡ଼ିଓ: ସାମ୍ନାକୁ ଆସିଲା ଇଂଲଣ୍ଡ ଦର୍ଶକଙ୍କ ଅଭଦ୍ର ଆଚରଣ, ମହମ୍ମଦ ସିରାଜ ଦେଲେ କଡ଼ା ଜବାବ

 

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ ର ତୃତୀୟ ମ୍ୟାଚ ଗତକାଲି ଠାରୁ ଲିଡ୍ସର ହେଡିଙ୍ଗଲି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି। ଏଠାରେ ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଇଂଲଣ୍ଡ ଏହି ଟେଷ୍ଟରେ ଦୃଢ଼ ଆରମ୍ଭ କରିଛି। ତେବେ, ଏହି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ସମର୍ଥକମାନେ ଭାରତୀୟ ଖେଳାଳି ମାନଙ୍କୁ ଅପବ୍ୟବହାର କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍ କରି ଅଲଆଉଟ ହୋଇଯାଇଥିଲା। ଯାହାର ଜବାବରେ ଇଂଲଣ୍ଡ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୧୨୦ ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ବ୍ୟାଟିଂ ଚାଲିଥିବା ବେଳେ ଦର୍ଶକମାନେ ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ଉପରକୁ ଏକ ରବର ବଲ ଫିଙ୍ଗିଥିଲେ। କେବଳ ଏତିକି ନୁହେଁ ସେମାନେ ଚିଲ୍ଲାଇ ଚିଲ୍ଲାଇ କିଛି କହିଥିଲେ ଯାହାର ଜବାବରେ ଏହି ଟେଷ୍ଟ ସିରିଜ଼ରେ ଭାରତ ୧-୦ ରେ ଆଗୁଆ ଥିବା ସିରାଜ ସେମାନଙ୍କୁ ସୂଚାଇ ଦେଇଥିଲେ। ଦେଖନ୍ତୁ ଭିଡ଼ିଓ:-

ପୂର୍ବରୁ ମଧ୍ୟ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦର୍ଶକମାନେ ଅଭଦ୍ର ଆଚରଣ ଦେଖାଇଥିଲେ। ବାଉଣ୍ଡରି ଲାଇନରେ ଫିଲଡିଂ କରୁଥିବା କେ.ଏଲ ରାହୁଲଙ୍କ ଉପରକୁ ସେମାନେ ମଦ ବୋତଲ ଠିପି ଫୋଫାଡ଼ିଥିଲେ ଯାହାକୁ ନେଇ ଖେଳାଳିମାନଙ୍କ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା।