T20 ବିଶ୍ବକପ୍ 2021: ମଜାକ ଉଡାଇଲା ପାକିସ୍ତାନ, କେବଳ IPL ଖେଳିବାକୁ ଯୋଗ୍ୟ ଭାରତୀୟ ଖେଳାଳି !

 

ସମ୍ଭବତଃ ଅକାଳରେ ସେମିଫାଇନାଲ୍ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଗଲା। ଲଗାତର ଦୁଇଟି ଶୋଚନୀୟ ପରାଜୟ ବରଣ କରିବା ପରେ ଭାରତର T-20 ବିଶ୍ବକପ୍ ଅଭିଯାନ ଶେଷ ହେଲା ଭଳି ଲାଗୁଚି । ଭାରତର ଏହି ଆଶ୍ଚର୍ଯ୍ୟଜନକ, ଅପ୍ରତ୍ୟାଶିତ, ଅତ୍ୟନ୍ତ ଦୁର୍ବଳ ଓ ଦୟନୀୟ ପ୍ରଦର୍ଶନକୁ କେହି ଯେମିତି ବିଶ୍ବାସ କରି ପାରୁନାହାନ୍ତି। ବିଶେଷ କରି ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ମଧ୍ୟ କୋହଲି ବାହିନୀକୁ ଅନାୟାସରେ ଧୂଳି ଚଟାଇବା ସବୁ ଭାରତବାସୀଙ୍କୁ ସ୍ତବ୍ଧ କରିଦେଇଛି।

ଟିମ୍ ଇଣ୍ଡିଆ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ମାତ୍ର 110 ରନ୍ ସଂଗ୍ରହ କରିଥିଲା । ଏହା ପରେ ମଧ୍ୟ ସମସ୍ତେ ଆଶା କରିଥିଲେ ଯେ ଭାରତୀୟ ବୋଲରମାନେ କିୱି ଦଳକୁ ଚ୍ୟାଲେଞ୍ଜ କରିବେ । କିନ୍ତୁ ଏହା ହୋଇପାରିଲା ନାହିଁ ଏବଂ ନ୍ୟୁଜିଲ୍ୟାଣ୍ଡ 15 ଓଭର ରେ ଲକ୍ଷ୍ୟ ହାସଲ କରି 8 ୱିକେଟ୍ ରେ ଏକ ବଡ଼ ବିଜୟ ହାସଲ କଲା ।

ଟିମ୍ ଇଣ୍ଡିଆର ଖରାପ ଖେଳ ମଧ୍ୟରେ #BANIPL ସୋସିଆଲ୍ ମିଡିଆରେ ବହୁତ ଦ୍ରୁତ ଗତିରେ ଟ୍ରେଣ୍ଡ କରୁଛି । ଭାରତୀୟ ଦଳର ଏହି ଖରାପ ଖେଳ ପାଇଁ ବିରୋଧୀ ଦଳ ପାକିସ୍ତାନ ଖେଳାଳିଙ୍କ ଠାରୁ ଧରି ଭାରତୀୟ ପ୍ରଶଂସକମାନେ ଆଇପିଏଲକୁ ଦାୟୀ କରୁଛନ୍ତି ଏବଂ ଭାରତର ଲୋକେ IPL କୁ ବ୍ୟାନ୍ କରିବାକୁ ଦାବି କରୁଛନ୍ତି । ଏହା ବ୍ୟତୀତ ପ୍ରଶଂସକମାନେ ଏକାଦଶ ଖେଳୁଥିବା ରବିଚନ୍ଦ୍ରନ୍ ଅଶ୍ୱିନ୍ ବଦଳରେ ବରୁଣ ଚକ୍ରବର୍ତ୍ତୀ ଚୟନ ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ଆଇପିଏଲ ଉପରେ ବ୍ୟାନ୍ ଲଗାଇବାକୁ ହେଲା ଦାବି:

ଏହି ଲଜ୍ଜାଜନକ ପରାଜୟ ପରେ ସୋସିଆଲ ମିଡ଼ିଆ ରେ ଭାରତୀୟ ପ୍ରଶଂସକମାନେ IPL 2022 କୁ ବ୍ୟାନ୍ କରିବାକୁ ଦାବି କରିଛନ୍ତି, IPL ରେ ଭଲ ପଦର୍ଶନ କରୁଥିବା ସବୁ ଖେଳାଳି ICC ଟୁର୍ନାମେଣ୍ଟ ରେ ଫେଲ ହୋଇଛନ୍ତି ।