ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ଆଇସିସି, ନିୟମ ଉଲ୍ଲଂଘନ ପରେ ବଡ଼ ଆକ୍ସନ, ଜାଣନ୍ତୁ ପୁରା ଖବର

 

କ୍ରିକେଟ୍ ବିଶ୍ୱକପ୍ 2023 ବର୍ତ୍ତମାନ ଭାରତରେ ଆୟୋଜିତ ହେଉଛି। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ପ୍ରଭାବ ପକାଇ ଶ୍ରୀଲଙ୍କା କ୍ରିକେଟ୍ (ଏସଏଲସି) କୁ ନିଲମ୍ବିତ କରିଦେଇଛି।  ଗୁରୁବାର ଦିନ ଶ୍ରୀଲଙ୍କା ସଂସଦ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ ହେବା ପରେ ଆଇସିସିର ଏହି ନିଷ୍ପତ୍ତି ନିଆଯାଇଛି।

ଆଇସିସି ରିଲିଜ କରିଥିବା ବିବୃତିରେ କହିଛି ଯେ "ଆଇସିସି ବୋର୍ଡ ଆଜି ବୈଠକ କରିଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆଇସିସିର ସ୍ଥାୟୀ ସଦସ୍ୟ ଭାବେ ସବୁ ପ୍ରକାରର ନିୟମ ଉଲ୍ଲଙ୍ଘନ କରିଥିବା ବୋର୍ଡ ଜାଣିବାକୁ ପାଇଛି। କ୍ରିକେଟ ବୋର୍ଡ ସ୍ୱଂୟଶାସିତ ଭାବେ ଚାଲିବା ଦରକାର। ଏଥିରେ ସରକାର ଯେମିତି ହସ୍ତକ୍ଷେପ ନ କରିବେ, ତା'କୁ ମଧ୍ୟ ନିଶ୍ଚିତ କରିବାକୁ ହୋଇଥାଏ।

କିନ୍ତୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସବୁ ପ୍ରକାରର ନିୟମ ଉଲ୍ଲଙ୍ଘନ କରିଛି। ବୋର୍ଡକୁ ଚଳାଇବା ଠାରୁ ଆରମ୍ଭ କରି ଆର୍ଥିକ ନେଣଦେଣ ଯାଏ ସବୁ କିଛିରେ ସରକାରୀ ହସ୍ତକ୍ଷେପ ରହିଛି। ଜାତୀୟ ଟିମରେ ମଧ୍ୟ ସରକାର ହସ୍ତକ୍ଷେପ କରିଛନ୍ତି। ତେଣୁ ତତ୍କାଳ ଭାବେ ଶ୍ରୀଲଙ୍କା କ୍ରିକେଟର ଆଇସିସି ସଦସ୍ୟତାକୁ ନିଲମ୍ବିତ କରାଯାଉଛି। ଆଗାମୀ ଦିନରେ ନିଲମ୍ବିନର ସର୍ତ୍ତ କ'ଣ ସବୁ ରହିବ, ତା' ଉପରେ ନିଷ୍ପତ୍ତି ନିଆଯିବ।"

ଶ୍ରୀଲଙ୍କାରେ କ୍ରିକେଟ୍ ନିୟନ୍ତ୍ରଣରେ ସରକାର ହସ୍ତକ୍ଷେପ ହେବା ଏହା ଆଇସିସି ନିୟମର ବିରୋଧରେ ରହିଛି। ନିକଟରେ ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଭଙ୍ଗ କରିଥିଲେ। ଏହାପରେ ଆଇସିସିର ଏହି ବୈଠକ ବସିଥିଲା। ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଶ୍ରୀଲଙ୍କା ଉପରେ ମ୍ୟାଚ ଫିକ୍ସିଂର ଅଭିଯୋଗ ଆସିଥିଲା। ଭାରତ ଠାରୁ ଶୋଚନୀୟ ପରାଜୟ କୁ ନେଇ ଶ୍ରୀଲଙ୍କା ଉପରେ ଫିକ୍ସିଂର ଚର୍ଚ୍ଚା ଜୋର୍ ଧରିଥିଲା। ଏହାପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସମସ୍ତ ସଦସ୍ୟଙ୍କୁ ବାହାର କରିଦେଇଥିଲା।

ଚଳିତ ବିଶ୍ବକପରେ ଶ୍ରୀଲଙ୍କା ୯ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟୀ ହୋଇଛି ଶ୍ରୀଲଙ୍କା। ବିଶ୍ୱକପ ସେମି ରେସ୍‌ରୁ ବାଦ୍‌ ପଡ଼ିସାରିଛି ଶ୍ରୀଲଙ୍କା। ବିଶ୍ୱକପ୍‌ ୨୦୨୩ରେ ଖରାପ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭାଙ୍ଗିଥିଲା ।