ଅଧିନାୟକ ପଦରୁ କାହିଁକି ଇସ୍ତଫା ଘୋଷଣା କଲେ କୋହଲି? ଜବାବ ଦେଲେ BCCI ଅଧ୍ୟକ୍ଷ ଏବଂ ସମ୍ପାଦକ

 

ଟି-୨୦ ବିଶ୍ୱକପ ପାଇଁ ଆଉ ମାସକ ଠାରୁ କମ ସମୟ ବାକି ରହିଥିବା ବେଳେ ଖେଳ ପ୍ରେମୀଙ୍କୁ ଲାଗିଛି ବଡ଼ ଝଟକା। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟି-୨୦ ବିଶ୍ୱକପ ପରେ ଏହି ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଗୁରୁବାର ଦିନ ଏକ ଟ୍ୱିଟର ପୋଷ୍ଟ ମାଧ୍ୟମରେ ବିରାଟ ଏହି ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। କୋହଲିଙ୍କର ହଠାତ ଏଭଳି ନିଷ୍ପତ୍ତିକୁ ନେଇ ନାନା କଳ୍ପନା ଜଳ୍ପନା ହେଉଥିବା ବେଳେ ଏହାକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହା ପ୍ରତିକ୍ରିୟା ରଖିଛନ୍ତି।

ଏହାକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ," ବିରାଟ ଭାରତୀୟ ଦଳ ପାଇଁ ପ୍ରକୃତ ସମ୍ପତ୍ତି ଅଟନ୍ତି। ତାଙ୍କ ଅଧିନାୟକତ୍ୱରେ ଭାରତ ଭଲ ପ୍ରଦର୍ଶନ କରିଥିଲା । ତେବେ, ଭବିଷ୍ୟତକୁ ଆଖି ଆଗରେ ଏଭଳି ନିଷ୍ପତ୍ତି ନିଆଯାଇଛି"। ଏଥିସହିତ ଆଗାମୀ ବିଶ୍ୱକପ ପାଇଁ କୋହଲିଙ୍କୁ ବେଷ୍ଟ ଅଫ ଲକ୍‌ କହିଛନ୍ତି ଗାଙ୍ଗୁଲି।

ସେହିପରି ନିଜ ପ୍ରତିକ୍ରିୟାରେ ସଂପାଦକ ଜୟ ଶାହା କହିଛନ୍ତି ଯେ,"ଟିମ୍‌ ଇଣ୍ଡିଆ ପାଇଁ ଆମ ପାଖରେ ସ୍ପଷ୍ଟ ରୋଡ୍‌ ମ୍ୟାପ୍‌ ରହିଛି। କାର୍ଯ୍ୟ ଚାପକୁ ଦେଖି ଏବଂ ଭାରତୀୟ ଟିମ୍‌ରେ ପରିବର୍ତ୍ତନର ସୁଲଭତାକୁ ଦେଖି ଆଗାମୀ ବିଶ୍ବକପ୍ ପରେ ଟି-୨୦ ଟିମ୍‌ର କ୍ୟାପ୍ଟେନ ପଦରୁ ହଟିବା ପାଇଁ କୋହଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କୋହଲି ଗତ ୬ ମାସ ହେବ ବିସିସିଆଇ ସହ ଆଲୋଚନା କରି ଆସୁଥିଲେ"। ତେବେ, କୋହଲି ଟିମରେ ଜଣେ ବରିଷ୍ଠ ସଦସ୍ୟ ଭାବରେ ଖେଳ ଜାରି ରଖିବେ ସେ ସ୍ପଷ୍ଟ କରିଛନ୍ତି।