ନ୍ୟୁଜିଲାଣ୍ଡ ଏକ ଭଲ ଟିମ୍ ଓ ସହଜରେ ଆଫଗାନିସ୍ତାନକୁ ହରାଇପାରିବେ, ତଥାପି ଯଦି ସେମାନେ ହାରିବେ ତେବେ...

 

ଆଫଗାନିସ୍ତାନ ଏବଂ ସ୍କଟଲ୍ୟାଣ୍ଡ ବିପକ୍ଷରେ ବିଶାଳ ବିଜୟ ହାସଲ କରିବା ପରେ ଭାରତ ସେମିଫାଇନାଲ ଆଶା ବଜାୟ ରଖିଛି। ତେବେ, ରବିବାର ଦିନ ହେବାକୁ ଥିବା ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି। ଏହି ମ୍ୟାଚରେ ଆଫଗାନିସ୍ତାନ ବିଜୟ ହାସଲ କରିଲେ ଭାରତର ସେମିଫାଇନାଲ ରାସ୍ତା ଫିଟିବ। ତେବେ, ଏହାକୁ ନେଇ ପାକିସ୍ତାନୀ କ୍ରିକେଟର ସୋହେବ ଅଖତର ବଡ଼ ମନ୍ତବ୍ୟ ଦେଇଛନ୍ତି।

ଅଖତରଙ୍କ କହିବା ମୁତାବକ ଆଫଗାନିସ୍ତାନ ଏହି ମ୍ୟାଚ ଜିତିଲେ ପାକିସ୍ତାନୀ ଲୋକେ ଏହାକୁ ସହଜରେ ଗ୍ରହଣ କରି ପାରିବେ ନାହିଁ। ମ୍ୟାଚ ପରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର କଥା କହିବେ। ସେ କହିଛନ୍ତି,"ମୁଁ ଏହି ବିବାଦ ଭିତରେ ପଡ଼ିବାକୁ ଚାହୁଁନାହିଁ। କିନ୍ତୁ, ଆଫଗାନିସ୍ତାନ ଯଦି ମ୍ୟାଚ ଜିତେ ତେବେ ଲୋକେ ଏହାକୁ ସହଜରେ ଗ୍ରହଣ କରି ପାରିବେ ନାହିଁ। ସୋସିଆଲ ମିଡିଆରେ ଭିନ୍ନ ଏକ ବିବାଦ ସୃଷ୍ଟି ହେବ ଯାହାକୁ ରୋକାଯାଇ ପାରିବନାହିଁ"।

ଅଖତର ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସେମିଫାଇନାଲ ଆଶା କ୍ଷୀଣ ଥିଲେ ହେଁ ଏହା ଅସମ୍ଭବ ନୁହେଁ। ଆଉ ଯଦି ଭାରତ ସେମିଫାଇନାଲରେ ପହଞ୍ଚିଯାଏ। ତେବେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ। ଏଭଳି ହେଲେ କ୍ରିକେଟ ଖେଳ ପ୍ରତି ଲୋକମାନଙ୍କର ଆଗ୍ରହ ଆହୁରି ବଢିଯିବ। କିନ୍ତୁ, ଯଦି ଭାରତ ପ୍ରଥମ ପର୍ଯ୍ୟାୟରୁ ହିଁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଯାଏ ତେବେ ଏହା ଭାରତ ପାଇଁ ଏକ ଶକ୍ତ ଧକ୍କା ସଦୃଶ ହେବ।