IPL ରେ ଭାଗ୍ୟ ବଦଳିବ ଏହି ଓଡ଼ିଆ କ୍ରିକେଟ ଖେଳାଳୀଙ୍କ, ଟ୍ରାଏଲ୍ ପାଇଁ ସିବିରକୁ ଡାକିଲା ଚେନ୍ନାଇ ସୁପର୍ କିଙ୍ଗ

 

ଓଡ଼ିଶା କ୍ରିକେଟ ପାଇଁ ଆସିଛି ଖୁସି ଖବର, ଚଳିତ ସିଜିନରେ ଓଡ଼ିଶା ଦଳର ଅଧିନାୟକ ପଦ ସମ୍ଭାଳିଥିବା ଶୁଭ୍ରାଂଶୁ ସେନାପତି ଆଗାମୀ ଆଇପିଏଲରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରକୃତରେ ଶୁଭ୍ରାଂଶୁଙ୍କର ଦକ୍ଷତା ପରଖିବା ପାଇଁ ଆଇପିଏଲ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ଟ୍ରାଏଲ ପାଇଁ ଡାକିଛି। ଏଥିନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ପ୍ରେସ ବିଜ୍ଞମ୍ପ୍ତି ଦ୍ୱାରା ସୂଚନା ଦିଆଯାଇଛି।

ଚଳିତ ବର୍ଷ ବିଜୟ ହଜାରେ ଟ୍ରାଫିରେ ଓଡ଼ିଶା ଦଳ ତରଫରୁ ଶୁଭ୍ରାଂଶୁ ଚମତ୍କାର ପ୍ରଦର୍ଶନ କରିଥିଲେ। ଲିଗ୍ ପର୍ଯ୍ୟାୟରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଏଥିରେ ଶୁଭ୍ରାଂଶୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶୁଭ୍ରାଂଶୁ ଏହି ଟ୍ରାଏଲ୍ସରେ ଭଲ ପ୍ରଦର୍ଶନ କରିଲେ ଆଗାମୀ ଆଇପିଏଲରେ ନଜର ଆସିପାରନ୍ତି ବୋଲି କୁହାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହିମାଚଳ ପ୍ରଦେଶ ବିପକ୍ଷ ଶେଷ ଲିଗ୍ ମ୍ୟାଚରେ ଶୁଭ୍ରାଂଶୁ ୫୭ ବଲରୁ ଧୂଆଁଧାର ୮୧ ରନ୍ ସଂଗ୍ରହ କରିଥିଲେ। କେବଳ ଏତିକି ନୁହେଁ ବିଦର୍ଭ ବିପକ୍ଷରେ ମଧ୍ୟ ଅପରାଜିତ ୭୧ ରନ୍ କରି ସେ ଦଳକୁ ବିଜୟର ସ୍ୱାଦ ଚଖାଇଥିଲେ। ଏହା ବ୍ୟତୀତ ଆନ୍ଦ୍ରପ୍ରଦେଶ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ସେ ସତକ ହାସଲ କରି ସମସ୍ତଙ୍କ ନଜରକୁ ଆସିଥିଲେ।