୨୦୨୨ ଆଇପିଏଲ ଖେଳିବାକୁ ନେଇ ଧୋନିଙ୍କ ବଡ଼ ବୟାନ, କହିଲେ ଆଗାମୀ ସିଜିନ୍ ପାଇଁ ମୁଁ...

 

ଚଳିତବର୍ଷ ଆଇପିଏଲର ଦ୍ଵିତୀୟ ଚରଣ ୟୁଏଇରେ ଅନୁଷ୍ଠିତ ହେଉଛି। ଇତିମଧ୍ୟରେ ଲିଗ୍ ପର୍ଯ୍ୟାୟ ଶେଷ ହେବାକୁ ବସିଥିବା ବେଳେ ୩ ଥର ଆଇପିଏଲ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ ଚମତ୍କାର ପ୍ରଦର୍ଶନ କରି ପ୍ଲେ-ଅଫ୍ କୁ ଉନ୍ନୀତ ହୋଇଛି। ଗତବର୍ଷର ନୈରାଶ୍ୟଜନକ ପ୍ରଦର୍ଶନ କୁ ଭୁଲି ଏହି ଦଳ ଚଳିତବର୍ଷ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ତେବେ, ଦଳର ଅଧିନାୟକ ଏମଏସ୍ ଧୋନି ଆଗାମୀ ବର୍ଷ ଆଇପିଏଲ ଖେଳିବେ କି ନାହିଁ ସେଥିନେଇ କଳ୍ପନା ଜଳ୍ପନା ଜୋର ଧରିଛି।

ଗୁରୁବାର ଅନୁଷ୍ଠିତ ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ ପୂର୍ବରୁ ଧୋନି ଏଥିନେଇ ଏକ ବଡ଼ ବୟାନ ଦେଇଛନ୍ତି। ଆସନ୍ତା ବର୍ଷ ସେ ଚେନ୍ନାଇ ଦଳରେ ଖେଳିବେ କି ନାହିଁ ସେଥିନେଇ ଏବେ ଠାରୁ ପୂର୍ବାନୁମାନ କରିବା ମୁସ୍କିଲ ବୋଲି ସେ କହିଛନ୍ତି। ଟସ୍ ପଡ଼ିବା ପରେ ତାଙ୍କୁ ଏଥିନେଇ ପଚରା ଯିବାରୁ ଧୋନି କହିଥିଲେ ଯେ,"ଆସନ୍ତା ସିଜିନ୍‌କୁ ନେଇ ଅନିଶ୍ଚିତତା ରହିଛି। କାରଣ ଆସନ୍ତା ବର୍ଷ ୨ଟି ନୂଆ ଟିମ ଆସିବେ। ତେଣୁ ଖେଳାଳିମାନଙ୍କୁ କିଣିବା ନେଇ କେଉଁ ପଲିସି ରହିବ, କେଉଁ ଖେଳାଳୀଙ୍କୁ ସ୍ଥାନ ଦିଆଯିବ, ଖେଲାଳିମାନଙ୍କୁ କିଣିବାକୁ ନେଇ କେଉଁଭଳି ଭାବେ ପଲିସି ରହିବ ତାହା ଦେଖିବାକୁ ହେବ।’

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ବର୍ଷ ଆଇପିଏଲ ରେ ଆହୁରି ଦୁଇଟି ନୂଆ ଦଳ ଯୋଗ ଦେବେ ବୋଲି ବିସିସିଆଇ ଘୋଷଣା କରିଛି। ତେଣୁ ଆସନ୍ତା ବର୍ଷ ପାଇଁ ପୁଣି ଏକ ବଡ଼ ନିଲାମୀ କରାଯିବ ଯେଉଁଥିରେ ପ୍ରତ୍ୟକ ଦଳ ମାତ୍ର ୨-୩ ଜଣ ଖେଳାଳିଙ୍କୁ ରଖିପାରିବେ। ଧୋନି ପୂର୍ବରୁ ଅବସରକୁ ନେଇ ବୟାନ ଦେଇଥିଲେ ଯେଉଁଥିରେ ସେ ଚେନ୍ନାଇରେ ସମର୍ଥକଙ୍କ ସାମ୍ନାରେ ଅବସର ନେଇପାରନ୍ତି ବୋଲି କହିଥିଲେ।