ଟି-୨୦ ବିଶ୍ୱକପ: ଘୋଷଣା ହେଲା ଭାରତୀୟ ଦଳ, କାହିଁକି ମିଳିଲା ଆଉଟ ଫର୍ମ ଥିବା ପାଣ୍ଡ୍ୟାଙ୍କୁ ସ୍ଥାନ ? BCCI ଦେଲା ଜବାବ

 

ଓମାନ୍ ଓ ୟୁଏଇରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷଣା କରାଯାଇଥିବା ଦଳରେ କିଛି ପ୍ରମୁଖ ଖେଳାଳି ନିଜ ସ୍ଥାନ ପକ୍କା କରିଥିବା ଆଉ କେତେକ ବାଦ୍ ପଡିଛନ୍ତି। ଖାସ୍ କରି ନିୟମିତ ଓପନିଙ୍ଗ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଓ ସ୍ପିନର ୟୁଜବେନ୍ଦ୍ର ଚହଲ ଟିମରୁ ବାଦ୍ ପଡିଛନ୍ତି। ସେହିପରି ୪ ବର୍ଷ ହେବ ଭାରତ ପାଇଁ ଟି-୨୦ ମ୍ୟାଚ ଖେଳିନଥିବା ରବିଚନ୍ଦ୍ରନ ଅଶ୍ୱିନ୍ ଦଳକୁ ଫେରିଛନ୍ତି ଏଥିସହିତ ଅକ୍ଷର ପଟେଲଙ୍କୁ ମଧ୍ୟ ଅଲରାଉଣ୍ଡର୍ ଭାବରେ ଦଳରେ ରଖା ଯାଇଛି।

ତେବେ, ସବୁଠାରୁ ଚକିତ କରିବା ପରି ଖବର ହେଉଛି କି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମାର୍ଗଦର୍ଶକ ଭାବରେ ଦଳ ସହିତ ଉପସ୍ଥିତ ରହିବେ। ବିସିସିଆଇ ସମ୍ପାଦକ ଜୟ ସାହା ଏକ ବିବୃତ୍ତିରେ ଏହା ସ୍ପଷ୍ଟ କରିଛନ୍ତି। ତାଙ୍କ କହିବା ମୁତାବକ ପୂର୍ବରୁ ବିସିସିଆଇ ପକ୍ଷରୁ ଧୋନୀଙ୍କୁ ଏଥିନେଇ ପଚରା ଯାଇଥିଲା। ଏବେ ଧୋନି ଏଥିପାଇଁ ରାଜି ହୋଇଛନ୍ତି ତେଣୁ ସେ ଦଳ ସହ ୟୁଏଇ ରେ ଉପସ୍ଥିତ ରହିବେ। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ଅନ୍ୟ ସପୋର୍ଟ ଷ୍ଟାଫମାନଙ୍କ ସହ ଧୋନି ମିଶିକରି କାମ କରିବେ।

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ:-

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟରକ୍ଷକ), ଇଶାନ କିଶାନ (ୱିକେଟରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ବରୁନ ଚକ୍ରବର୍ତ୍ତୀ, ଭୁବନେଶ୍ବର କୁମାର, ମହମ୍ମଦ ଶାମି। ଶ୍ରେୟସ ଆୟର, ଶାର୍ଧୁଲ ଠାକୁର ଏବଂ ଦୀପକ ଚହର୍ ଅତିରିକ୍ତ ଖେଳାଳି ଭାବରେ ଦଳ ସହିତ ଯାତ୍ରା କରିବେ।

ଟି -20 ବିଶ୍ୱକପରେ ପାଣ୍ଡ୍ୟା ଙ୍କୁ କାହିଁକି ଦଳରେ ରଖାଗଲା ?

ଟି -20 ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ କୋଟାରେ ପୂର୍ଣ୍ଣ ବୋଲିଂ କରିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ହଁ, ଯଦି ସେ 11 ଖେଳିବାରେ ସୁଯୋଗ ପାଆନ୍ତି, ତେବେ ତାଙ୍କୁ ତାଙ୍କର ସମ୍ପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡିବ । ବୋର୍ଡର ଏହି ବିବୃତ୍ତିରୁ ଏହା ଅନୁମାନ କରାଯାଇପାରେ ଯେ, ଏହି ଅଲରାଉଣ୍ଡର ସମ୍ପୂର୍ଣ୍ଣ ଫିଟ୍ । ଏପରି ପରିସ୍ଥିତିରେ, ଏଥିରୁ ସ୍ପଷ୍ଟ ଯେ ଲୋକମାନେ ତାଙ୍କଠାରୁ ବିଶେଷ ଆଶା କରିବେ ।