ରୋହିତ-ଦ୍ରାବିଡ଼ଙ୍କ ସହ ଫଟୋ ଉଠାଇବା ବେଳେ ପ୍ରଧାନମନ୍ତ୍ରୀ କାହିଁକି ଟି-୨୦ ବିଶ୍ୱକପ ଟ୍ରଫିକୁ ଧରି ନଥିଲେ ?

 

ଭାରତୀୟ କ୍ରିକେଟ ଟିମ୍‌ ଦ୍ୱିତୀୟ ଥର ପାଇଁ ଟି -୨୦ବିଶ୍ୱକପ ଚାମ୍ପିୟନ ହୋଇଛି। ଏହି ବିଶ୍ୱକପ ଟ୍ରଫି ନେଇ ରୋହିତ ଶର୍ମାଙ୍କ ବ୍ରିଗେଡ ସ୍ବଦେଶ ଆସିଛି। ଭାରତ ଆସିବା ପରେ ଟିମ ଇଣ୍ଡିଆ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟଛି। ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ଟିମ ଇଣ୍ଡିଆ ସହ ଏକ ବୈଠକ ଆୟୋଜନ କରିଥିଲେ। 

ତେବେ ଟି- ୨୦ ବିଶ୍ୱକପ ଜିତିବା ପରେ ଆଜି ଭାରତୀୟ ଦଳ ସ୍ୱଦେଶ ଫେରିଛି। ସକାଳ ୬ଟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଆଉ ପରେ ଟିମର ସଦସ୍ୟମାନେ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। 

ବିଶ୍ୱକପ ଓ ଭାରତୀୟ ଟିମ ସହ ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ସମସ୍ତେ ଗୋଟିଏ ଫଟୋ ଉଠାଇଛନ୍ତି। ତେବେ ସାମ୍ନାକୁ ଆସିଥିବା ଫଟୋ ସମସ୍ତଙ୍କୁ ଚକିତ କରିଛି। ଫଟୋ ଉଠାଇବା ବେଳେ ପ୍ରଧାନମନ୍ତ୍ରୀ ଟି-୨୦ ବିଶ୍ୱକପ ଟ୍ରଫିକୁ ସ୍ପର୍ଶ କରି ନାହାନ୍ତି। 

ସେ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ ହାତକୁ ଧରି ଫଟୋ ପୋଜ ଦେଇଛନ୍ତି। ରାହୁଲ ଓ ରୋହିତ ନିଜ ନିଜର ଗୋଟିଏ ହାତରେ ଟ୍ରଫି ଧରିଛନ୍ତି। ଟ୍ରଫିଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ରହିଛି। ହେଲେ ସେ ଟ୍ରଫି ବଦଳରେ ନିଜର ଦୁଇ ହାତରେ ରାହୁଲ ଓ ରୋହିତଙ୍କ ହାତକୁ ଧରି ଫଟୋ ଉଠାଇଛନ୍ତି। ମୋଦିଙ୍କ ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

କୁହାଯାଏ ଯେ ଟ୍ରଫି ଓ ମେଡାଲକୁ କେବଳ ବିଜୟୀ ଟିମର ସଦସ୍ୟ ବା ଆଥଲେଟମାନେ ସ୍ପର୍ଶ କରିବା ଦରକାର। କାରଣ ସେମାନେ ପରିଶ୍ରମ କରି ଏହାର ହକଦାର ବନିଛନ୍ତି। କାରଣ ପାଇଁ ମୋଦି ବିଶ୍ୱକପ ଟ୍ରଫିକୁ ସ୍ପର୍ଶ କରି ନଥିବା ଚର୍ଚ୍ଚା ହେଉଛି। କାରଣ ୧୩ ବର୍ଷ ପରେ ଭାରତୀୟ ଟିମର ସଦସ୍ୟମାନେ ହିଁ ପରିଶ୍ରମ କରି ଦେଶ ପାଇଁ ଟ୍ରଫି ହାତେଇଛନ୍ତି। ତେଣୁ ମୋଦି ଟ୍ରଫିର ହକଦାର କେବଳ ଖେଳାଳି ଓ କୋଚ ବୋଲି ଜଣାଇବାକୁ ଏପରି କରିଛନ୍ତି।