କପିଲ ଦେବଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ ଆଉ ଦେଶପାଇଁ ଖେଳୁନାହାଁନ୍ତି ଖେଳାଳୀ, ସେମାନଙ୍କ ଟାର୍ଗେଟରେ ଏବେ...

 

ଏକଦା ଟି-୨୦ ବିଶ୍ୱକପ ୨୦୨୧ର ଟାଇଟେଲ୍ ଫେଭରାଇଟ ଭାବରେ ଗଣା ଯାଉଥିବା ଭାରତ ସେମିଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛି। ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ଭାରତକୁ ଭାରି ପଡ଼ିଥିଲା। ତେବେ, ଏପରି ପରିସ୍ଥିତିରେ ସାରା ଦେଶରେ ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି। ଏହାରି ଭିତରେ କ୍ରିକେଟ କିମ୍ବଦନ୍ତୀ କପିଲ ଦେବ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି।

ଭରତକୁ ପ୍ରଥମ ବିଶ୍ୱକପ ଜିତାଇଥିବା ଏହି କିମ୍ବଦନ୍ତୀ ଅଲରାଉଣ୍ଡର କହିଛନ୍ତି ଯେ ବର୍ତ୍ତମାନ ସମୟର ଖେଳାଳିମାନେ ଫ୍ରାଞ୍ଚାଇଜ କ୍ରିକେଟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କେତେକ ଭାରତୀୟ ଖେଳାଳି ଦେଶ ପାଇଁ ଖେଳିବାଠାରୁ ଅଧିକ ଧ୍ୟାନ ଫ୍ରାଞ୍ଚାଇଜ୍ କ୍ରିକେଟ ଖେଳିବା ଉପରେ ଦେଉଛନ୍ତି। ଏଥିସହିତ ତୁରନ୍ତ ଆଗାମୀ ବିଶ୍ୱକପ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ବିସିସିଆଇକୁ ଆହ୍ୱାନ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଗାମୀ ଟି-୨୦ ବିଶ୍ୱକପ ୨୦୨୨ ମସିହାରେ ଅଷ୍ଟ୍ରେଲିଆ ଠାରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏବେ ଠାରୁ ହିଁ ପ୍ରସ୍ତୁତି କରିବାକୁ କପିଲ କହିଛନ୍ତି। ସେ କହିଛନ୍ତି ଯେ,"ମୁଁ ଆଇପିଏଲ କିମ୍ବା ଫ୍ରାଞ୍ଚାଇଜ କ୍ରିକେଟ ବିରୁଦ୍ଧରେ ନୁହେଁ କିନ୍ତୁ ଆଇପିଏଲ ଏବଂ ଆନ୍ତର୍ଜାତୀୟ କ୍ରିକେଟ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି ଯାହା ଖେଳାଳିମାନେ ବୁଝିବା ଦରକାର"। ଏହି ବିଶ୍ୱକପ ପରେ ଭାରତୀୟ ଦଳ ସମାପ୍ତ ହୋଇଯାଇ ନାହିଁ ଏବେଠାରୁ ହିଁ ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତି ଚଳାଇବାକୁ କପିଲ କହିଛନ୍ତି।