ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟକା! ଆହତ ହେଲେ ଏହି ଦୁଇ ଷ୍ଟାର ଖେଳାଳି, ଖେଳିନପାରନ୍ତି ନିର୍ଣ୍ଣାୟକ ମ୍ୟାଚ

 

ଆସନ୍ତାକାଲି ମାଞ୍ଚେଷ୍ଟର୍ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତିମ ତଥା ପଞ୍ଚମ ଟେଷ୍ଟ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଚତୁର୍ଥ ଟେଷ୍ଟ ମ୍ୟାଚରେ ବିଜୟ ଲାଭ କରିବା ସହ ଭାରତ ଏହି ଟେଷ୍ଟ ସିରିଜରେ ୨-୧ ରେ ଆଗୁଆ ରହିଛି। ତେବେ, ପଞ୍ଚମ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଡ୍ରେସିଂ ରୁମରୁ କେତୋଟି ଅଶୁଭ ସମାଚାର ଆସିଛି। 

ପୂର୍ବରୁ କୋଚ୍ ରବି ଶାସ୍ତ୍ରୀ ଏବଂ ଅନ୍ୟ ଦୁଇ ସହଯୋଗୀ କରୋନା ଆକ୍ରାନ୍ତ ହୋଇ ସଂଘରୋଧରେ ରହିଛନ୍ତି। ଏବେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରା ମଧ୍ୟ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ରୋହିତଙ୍କର ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ପୂଜାରାଙ୍କର ପାଦ ମୋଡ଼ି ହୋଇଯାଇଥିଲା। ଉଭୟ ଖେଳାଳିଙ୍କ ଉପରେ ମେଡ଼ିକାଲ ଟିମ ନଜ଼ର ରଖିଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚତୁର୍ଥ ଟେଷ୍ଟରେ ରୋହିତଙ୍କ ୧୨୭ ରନ୍ ଏବଂ ପୂଜାରାଙ୍କ ୬୧ ରନ୍ ବଳରେ ଭାରତ ବଡ଼ ସ୍କୋର କରିପାରିଥିଲା। ତେବେ, ପୂଜାରାଙ୍କ ବାମ ଗୋଡ଼ ମୋଡ଼ି ହୋଇଯାଇଥିବାରୁ ସେ ପରବର୍ତ୍ତୀ ସମୟରେ ଫିଲଡିଂ କରିବାକୁ ଆସିନଥିଲେ। ସେହିପରି ବ୍ୟାଟିଂ କରିବା ସମୟରେ ରୋହିତଙ୍କ ବାମ ଆଣ୍ଠୁରେ ବଲ ବାଜିଥିଲା ଯାହାଦ୍ୱାରା ସେ ଆହତ ହୋଇଥିଲେ। ଏବେ ନିର୍ଣ୍ଣାୟକ ପଞ୍ଚମ ଟେଷ୍ଟରେ ଉଭୟଙ୍କ ଖେଳିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।