ଯଦି ନ୍ୟୁଜିଲାଣ୍ଡ ଆଫଗାନିସ୍ତାନ ଠାରୁ ଜିତେ ତେବେ କେମିତି ସେମିଫାଇନାଲ ଯିବ ଭାରତ? ଜାଣନ୍ତୁ ପୂରା ସମୀକରଣ

 

ଗତକାଲି ଗ୍ରୁପ୍"ବି" ର ଏକ ମ୍ୟାଚରେ ଭାରତ ସ୍କଟଲ୍ୟାଣ୍ଡକୁ ଭେଟିଥିଲା। ଏହି ମ୍ୟାଚରେ ଭାରତ ଏକ ସହଜ ବିଜୟ ହାସଲ କରି ସେମିଫାଇନାଲ ଦୌଡ଼ରେ ଜୀବିତ ରହିଛି। ଏହି ମ୍ୟାଚ ପୂର୍ବରୁ ଭାରତର ନେଟ୍ ରନ୍ ରେଟ୍ ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ଠାରୁ କମ ରହିଥିଲେ ହେଁ ସ୍କଟଲ୍ୟାଣ୍ଡ ଉପରେ ବିଶାଳ ବିଜୟ ହାସଲ କରିବା ପରେ ଭାରତ ନିଜର ରନ୍ ରେଟକୁ ମଧ୍ୟ ସୁଧାରିବାରେ ସଫଳ ହୋଇଛି।

କାଲି ରବୀନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମୀଙ୍କ ଘାତକ ବୋଲିଂ ବଳରେ ଭାରତ ସ୍କଟଲ୍ୟାଣ୍ଡକୁ ମାତ୍ର ୮୫ ରନରେ ଅଲଆଉଟ କରି ଦେଇଥିଲା। ତେବେ, ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ଠାରୁ ଭଲ ରନ୍ ରେଟ୍ କରିବାକୁ ହେଲେ ଭାରତ ଏହି ଟାର୍ଗେଟକୁ ମାତ୍ର ୭.୧ ଓଭରରେ ଚେଜ୍ କରିବା ଦରକାର ପଡୁଥିଲା। ଯେଉଁ ଲକ୍ଷକୁ ଭାରତ ୨ ୱିକେଟ୍ ହରାଇ ମାତ୍ର ୬.୩ ଓଭରରେ ହିଁ ହାସଲ କରିନେଇଥିଲା। ଏହି ରନ୍ ଚେଜରେ ଭାରତ ପକ୍ଷରୁ ରୋହିତ ଶର୍ମା ୧୬ ବଲରୁ ୩୦ ରନ୍ ଏବଂ କେଏଲ ରାହୁଲ ୧୯ ବଲରୁ ୫୦ ରନ୍ ସ୍କୋର କରି ପାରିଥିଲେ।

ଏବେ, ସ୍କଟଲ୍ୟାଣ୍ଡ ବିପକ୍ଷ ବିଜୟ ପରେ ଭାରତ ୪ ପଏଣ୍ଟ ଏବଂ +୧.୬୨ ର ବଳିଷ୍ଠ ରନ୍ ରେଟ୍ ସହ ତୃତୀୟ ସ୍ଥାନରେ ରହିଛି। ଭାରତ ୮ ତାରିଖରେ ନିଜର ଶେଷ ମ୍ୟାଚ ଦୁର୍ବଳ ନାମ୍ବୀବିଆ ସହିତ ଖେଳିବାକୁ ଯାଉଥିବାରୁ ଏହା ନିଜର ସମସ୍ତ ମ୍ୟାଚ ଖେଳି ୬ ପଏଣ୍ଟରେ ପହଞ୍ଚିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ, ସବୁଠାରୁ ବଡ଼ କଥା ହେଲା ଭାରତ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଆସନ୍ତା ୭ ତାରିଖରେ ହେବାକୁ ଥିବା ମ୍ୟାଚରେ ଆଫଗାନିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଇବାକୁ ହେବ।

ଏପରି ହେଲେ ଭାରତ, ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ସମସ୍ତେ ୬ ପଏଣ୍ଟ ଲେଖାଏଁ ପାଇ ପାରିବେ। ଏପରି ସ୍ଥଳରେ ଭାରତ ଏବଂ ନମ୍ବୀବିଆ ମ୍ୟାଚ ଉପରେ ସମସ୍ତଙ୍କ ନଜ଼ର ରହିବ। ଏହି ମ୍ୟାଚ ପରେ ଯାହାର ରନ୍ ରେଟ୍ ଅଧିକ ରହିବ ସେ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇପାରିବ।