ଅଜବ ଘଟଣା: ପାକିସ୍ତାନ ମ୍ୟାଚ ଜିତିବା ପରେ ଉତ୍ସବ ପାଳନ କରୁଥିଲା ପତ୍ନୀ, ଥାନାରେ ଏତଲା ଦେଲା ସ୍ୱାମୀ

 

ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ଠାରୁ ମ୍ୟାଚ ହାରିବା ପରେ ଭାରତ ଟି-୨୦ ବିଶ୍ୱକପର ପ୍ରଥମ ପର୍ଯ୍ୟାୟଠାରୁ ହିଁ ବିଦାୟ ନେଇଛି। ପାକିସ୍ତାନଠାରୁ ପ୍ରଥମ ମ୍ୟାଚ ହାରିବା ପରେ ଭାରତରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏଠାକାର କେତେକ ଦେଶଦ୍ରୋହୀ ଲୋକେ ଭାରତର ପରାଜୟକୁ ଉତ୍ସବ ଭାବରେ ପାଳନ କରିବାରେ ବ୍ୟସ୍ତ ରହିଥିଲେ। ଏବେ ଏହିପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ପାକିସ୍ତାନର ବିଜୟ ଉତ୍ସବକୁ ପାଳନ କରିଥିବାରୁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। 

ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଥିବା ବେଳେ ଇଶାନ ମିଆଁ ନାମକ ଯୁବକ ନିଜ ସ୍ତ୍ରୀ ଏବଂ ଶ୍ୱଶୁର ଘର ସଦସ୍ୟଙ୍କ ନାମରେ ଏତଲା ଦେଇଛନ୍ତି। ଘଟଣା ମୁତାବକ 24 ଅକ୍ଟୋବର ସନ୍ଧ୍ୟା ସମୟରେ ଇଶାନ ନିଜ ଅଫିସରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖୁଥିଲେ। ଭାରତ ଏହି ମ୍ୟାଚ ହାରିଯିବା ପରେ ସମସ୍ତେ ନିରାଶ   ହୋଇଯାଇଥିବା ବେଳେ ଇଶାନଙ୍କ ପତ୍ନୀ ପାକିସ୍ତାନକୁ ସମର୍ଥନ କରି ଏକ ହ୍ଵାଟ୍ସଆପ୍ ସ୍ଟାଟସ୍ ପୋଷ୍ଟ କରିଥିଲେ।

ଇଶାନ ନିଜ ପତ୍ନୀଙ୍କର ଏଭଳି ପୋଷ୍ଟ ଦେଖି ଅପମାନିତ ଅନୁଭବ କରିଥିଲେ। ଏପରିକି ଏହି ପୋଷ୍ଟ ଦେଖି ତାଙ୍କ ଅଫିସର କର୍ମଚାରୀ ମାନେ ତାଙ୍କୁ କଟାକ୍ଷ କରିଥିବା ଇଶାନ କହିଛନ୍ତି। ତେଣୁ, ଇଶାନ ତୁରନ୍ତ ପୋଲିସ ପାଖକୁ ଯାଇ ନିଜ ପତ୍ନୀ ଏବଂ ଶ୍ୱଶୁର ଘର ନାମରେ ଏକ ଏତଲା ଦୟାର କରିଥିଲେ। ତେବେ, କିଛି ମାସ ପୂର୍ବରୁ ଇଶାନଙ୍କ ପତ୍ନୀ ତାଙ୍କ ବିରୋଧରେ ଯୌତୁକ ନିର୍ଯାତନାର ଆରୋପ ଲଗାଇଥିଲେ। ତେଣୁ, ଏହାର ପ୍ରତିଶୋଧ ନେବା ପାଇଁ ଇଶାନ ଏପରି କାମ କରିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ, ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।