ପାଣ୍ଡ୍ୟାଙ୍କୁ ବିଶ୍ୱକପ ଦଳରେ ସାମିଲ କରିବାକୁ ଚାହୁଁନଥିଲା BCCI, ଧୋନୀଙ୍କ ଏହି କଥା ପାଇଁ ମିଳିଲା ସୁଯୋଗ, ଜାଣନ୍ତୁ କଣ ଥିଲା ପୂରା ଘଟଣା

 

ଚଳିତ ବର୍ଷ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ ହାରିଯିବା ପରେ ଭାରତର ସେମିଫାଇନାଲ ଆଶା ପ୍ରଭାବିତ ହୋଇଛି। ଏଥିସହିତ ଦଳ ଚୟନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ଫର୍ମରେ ନଥିବା ଧ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଚୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାସ୍ କରି ହାର୍ଦିକ ଶତ ପ୍ରତିଶତ ଫିଟ ନଥିବାରୁ ତାଙ୍କ ଖେଳିବାକୁ ନେଇ କିଛି ଲୋକେ ସନ୍ତୁଷ୍ଟ ନାହାଁନ୍ତି।

ଏହି ଘଟଣାରେ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାଇ ପ୍ରଥମେ ଚୟନକର୍ତ୍ତା ମାନେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବାକୁ ନେଇ ଅମଙ୍ଗ ହେଉଥିଲେ। କିନ୍ତୁ, ଦଳର ମେଣ୍ଟର ଏମଏସ୍ ଧୋନୀଙ୍କ କଥାରେ ହିଁ ଚାୟନକର୍ତ୍ତାମାନେ ହାର୍ଦିକଙ୍କୁ ଦଳରେ ସାମିଲ କରିଥିଲେ। ହାର୍ଦିକ ଇନିଂସ ଶେଷ ଆଡକୁ ଧ୍ରୁତ ରନ୍ ସଂଗ୍ରହ କରିବାରେ ପାରଙ୍ଗମ ଥିବାରୁ ତାଙ୍କୁ ସାମିଲ କରିଲେ ଦଳ ଲାଭରେ ରହିବ ବୋଲି ଧୋନୀ କହିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାର୍ଦିକ ବିଗତ କିଛି ଦିନ ହେବ ଆଘାତଜନିତ ସମସ୍ୟାରେ ରହିଛନ୍ତି। ଯେଉଁଥିପାଇଁ ତାଙ୍କୁ ଆଇପିଏଲରେ ମଧ୍ୟ ବୋଲିଂ କରୁଥିବାର ଦେଖିବାକୁ ମିଳିନଥିଲା। ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ସେ ବୋଲିଂ କରିନଥିଲେ। ଏବେ ନେଟ୍ସ ସେସନ୍ ସମୟରେ ସେ ବୋଲିଂ କରୁଥିବା ଦେଖିବାକୁ ମିଳିଥିବାରୁ ସେ ମ୍ୟାଚରେ ବୋଲିଂ କରିବେ ବୋଲି ଆଶା କରାଯାଉଛି।