ସାଂଘାତିକ ଅଭିଯୋଗ ଆଣିଲେ ଅଶ୍ୱିନଙ୍କ ବାପା, କହିଲେ- ମୋ ପୁଅକୁ ଇଏ କରିଥିଲେ ଅପମାନ ସେଥିପାଇଁ ନେଲା ଅବସର

 

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ଵିନ। ସବୁ ଫର୍ମାଟରୁ ସେ ଅବସର ନେଇଛନ୍ତି । ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଚାଲିଥିବା ବେଳେ ବ୍ରିସବେନ ଟେଷ୍ଟ ପରେ ପରେ ସେ ଅବସର ଘୋଷଣା କରିଛନ୍ତି। ଏପରିକି ସେ ଚତୁର୍ଥ ଟେଷ୍ଟ ମଧ୍ୟ ଖେଳିବେ ନାହିଁ । ଟେଷ୍ଟ ମ୍ୟାଚ ପରେ ରୋହିତ ଶର୍ମାଙ୍କ ସହିତ କରିଥିବା ପ୍ରେସମିଟରେ ଘୋଷଣା କରିଛନ୍ତି ଅଶ୍ଵିନ। 

ହେଲେ ହଠାତ୍ ଇସ୍ତଫାକୁ ନେଇ ତାଙ୍କ ବାପା ରବିଚନ୍ଦ୍ରନ ସମସ୍ତଙ୍କୁ ଚକିତ କରିବା ଭଳି କଥା କହିଛନ୍ତି। ଅଶ୍ୱିନଙ୍କ ଅପ୍ରତ୍ୟାଶିତ ଅବସର ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ପୁଅ ଭାରତ ପାଇଁ ଖେଳୁ ବୋଲି ରବିଚନ୍ଦ୍ରନ ଚାହୁଁଥିଲ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ବାରମ୍ବାର ଅପମାନିତ ହୋଇଆସୁଥିଲେ। ସମ୍ଭବତଃ ଏହି କାରଣ ପାଇଁ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହି ଥାଇପାରନ୍ତି ବୋଲି ରବିଚନ୍ଦ୍ରନ ମତ ରଖିଛନ୍ତି।

ରବିଚନ୍ଦ୍ରନ ନିର୍ଦ୍ଦିଷ୍ଟ ଭାବେ ସେ ଆଣିଥିବା ଅପମାନ ଅଭିଯୋଗ ସମ୍ପର୍କରେ କିଛି ବି କହିନାହାନ୍ତି। କିନ୍ତୁ ବିଦେଶ ମାଟିରେ ଅଶ୍ୱିନଙ୍କୁ ନିୟମିତ ସୁଯୋଗ ନ ମିଳିବା ପ୍ରସଙ୍ଗ ହିଁ ରବିଚନ୍ଦ୍ରନ ଏଠାରେ କହିବାକୁ ଚେଷ୍ଟା କରିଛନ୍ତି। 

ଅଶ୍ୱିନଙ୍କ ବାପା ରବିଚନ୍ଦ୍ରନ କହିଛନ୍ତି, “ଶେଷ ମୁହୂର୍ତ୍ତରେ ମୁଁ ମଧ୍ୟ ଅବସର ସମ୍ପର୍କରେ ଜାଣିବାକୁ ପାଇଥିଲି। ତା’ ଇଚ୍ଛା ଓ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମୁଁ ଏଥିରେ ହସ୍ତକ୍ଷେପ କରିନାହିଁ। କିନ୍ତୁ ସେ ଯେଉଁଭଳି ଭାବେ ଅବସର ଘୋଷଣା କଲା, ତା’ ପଛରେ ସମ୍ଭବତଃ ଅନେକ କାରଣ ରହିଥାଇ ପାରେ। କେବଳ ଅଶ୍ୱିନ ସେକଥା ଜାଣିଛି। ସମ୍ଭବତଃ ସେ ଅପମାନିତ ବୋଧ ପ୍ରକାଶ କରିଛି।”

ଅଶ୍ୱିନଙ୍କ ପିତା ଆହୁରି କହିଛନ୍ତି, 'ଅଶ୍ୱିନଙ୍କ ଅବସର ଆମ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ କାରଣ ସେ ୧୪-୧୫ ବର୍ଷ ଖେଳିଥିଲେ ଏବଂ ତାଙ୍କର ହଠାତ୍ ଅବସର ଆମକୁ ଚକିତ କରି ଦେଇଥିଲା। ଆମକୁ ଲାଗୁଛି ଯେପରି ଆମକୁ କ୍ରମାଗତ ଭାବରେ ଅପମାନ କରାଯାଉଛି । ତେବେ ସେ କେତେ ଦିନ ପର୍ଯ୍ୟନ୍ତ ଏସବୁକୁ ସହ୍ୟ କରିଥାନ୍ତେ?