ମଇଦାନକୁ ଓହ୍ଲାଇବେ ଆଉ ଜଣେ ନୂଆ ଯୁବରାଜ, ୧୩ ବର୍ଷ ବଷୟରେ ରୋହିତ ବିରାଟଙ୍କୁ ଦେବେ ଟକ୍କର, ଜାଣନ୍ତୁ କିଏ ଏହି ଯୁବକ

 

ବିହାରର ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ ମେଗା ନିଲାମୀରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧୦ କୋଟିରେ କିଣିଛି । କୌଣସି ଦଳରେ ଯୋଗଦେବାରେ ସେ ହୋଇଛନ୍ତି ସର୍ବକନିଷ୍ଠ ଖେଳାଳି । ନିଲାମୀରେ ସୂର୍ଯ୍ୟବଂଶୀଙ୍କ ବେସ୍ ପ୍ରାଇସ୍ ଥିଲା ୩୦ ଲକ୍ଷ ଟଙ୍କା ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ବିଡ୍ କରିଥିଲା । ହେଲେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀକୁ ପଛରେ ପକାଇ ଏହି ଖେଳାଳିଙ୍କୁ କିଣିନେଇଥିଲା ।‌ ସୂର୍ଯ୍ୟବଂଶୀ ନିଜର ଧୂଆଁଦାର ବ୍ୟାଟିଂ ପାଇଁ ଜଣାଶୁଣା । କିନ୍ତୁ ଆଇପିଏଲ୍ ଯେବେ ଆରମ୍ଭ ହୋଇଥିଲା, ସେହି ସମୟରେ ସେ ଜନ୍ମ ମଧ୍ୟ ହୋଇ ନ ଥିଲେ ।

ଆରଆର ସିଇଓ ଜେକେ ଲଶ ମ୍ୟାକ୍ରମ୍ କହିଛନ୍ତି, 'ବୈଭବ ନାଗପୁରରେ ଆମର ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ତାଲିମ ନେଇଥିଲେ ଏବଂ ସେ ଆମ କୋଚିଂ ଷ୍ଟାଫଙ୍କୁ ପ୍ରକୃତରେ ପ୍ରଭାବିତ କରିଥିଲେ । ସେ ଜଣେ ଅସାଧାରଣ ପ୍ରତିଭାବାନ୍ ଖେଳାଳି । ଯଦିଓ ତାଙ୍କୁ ଆଇପିଏଲ୍ ସ୍ତର ସହ ଖାପ ଖୁଆଇବା ପାଇଁ କଠିନ ପରିଶ୍ରମ ଜାରି ରଖିବାକୁ ପଡ଼ିବ । କିନ୍ତୁ ଆମେ ତାଙ୍କୁ ନିଜ ଫ୍ରାଞ୍ଚାଇଜରେ ସ୍ୱାଗତ କରିବାକୁ ରୋମାଞ୍ଚିତ ଅଛୁ' ।

ସୂର୍ଯ୍ୟବଂଶୀ ନିକଟରେ ଚେନ୍ନାଇରେ ଅଣ୍ଡର-୧୯ରେ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଶତକ ହାସଲ କରିଥିଲେ ଏବଂ ଏହି ଶ୍ରେୟ ହାସଲ କରିବାରେ ସେ ହୋଇଥିଲେ ସର୍ବକନିଷ୍ଠ ଖେଳାଳି । ଏହି ମ୍ୟାଚରେ ସୂର୍ଯ୍ୟବଂଶୀ ୬୨ ବଲରେ ୧୦୪ ରନ୍ ସଂଗ୍ରହ କରିଥିଲେ ।

ସୂଚନାଥାଉ କି, ଚଳିତ ଜାନୁଆରୀରେ ରଣଜୀ ଟ୍ରଫିରେ ଡେବ୍ୟୁ ପୂର୍ବରୁ ସୂର୍ଯ୍ୟବଂଶୀଙ୍କ ପ୍ରକୃତ ବୟସକୁ ନେଇ ବିବାଦ ଦେଖାଦେଇଥିଲା । ଯେତେବେଳେ କି, ଗତ ବର୍ଷ ଭାଇରାଲ ହୋଇଥିବା ଏକ ସାକ୍ଷାତକାର ଭିଡିଓରେ ସେ କହିଥିଲେ ଯେ ୨୦୨୩ ସେପ୍ଟେମ୍ବରରେ ତାଙ୍କୁ ୧୪ ବର୍ଷ ହେବ । ଜୁନିଅର ସର୍କିଟରେ ଚର୍ଚ୍ଚାରେ ଥିବା ଏହି ବାମହାତୀ ଟପ୍ ଅର୍ଡର ବ୍ୟାଟର ପ୍ରଥମ ଶ୍ରେଣୀ କ୍ରିକେଟରେ କୌଣସି ବଡ଼ ଇନିଂସ ଖେଳି ନାହାନ୍ତି । ପାଞ୍ଚଟି ମ୍ୟାଚରେ ସେ ହାରାହାରି ୧୦ ରନ୍ ସଂଗ୍ରହ କରିଛନ୍ତି ।

ବିହାର ସମସ୍ତିପୁରର ବାସିନ୍ଦା ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୪ ବର୍ଷ ବୟସରୁ ତାଙ୍କ କ୍ରିକେଟ୍ ଯାତ୍ରା ହୋଇଥିଲା । କୃଷକ ଥିବା ତାଙ୍କ ବାପା ସଞ୍ଜୀବ ସେତେବେଳେ ଏହି ଖେଳ ପ୍ରତି ପୁଅର ଆଗ୍ରହ ଦେଖିବାକୁ ପାଇଥିଲେ । ସୀମିତ ସମ୍ବଳ ସତ୍ତ୍ୱେ ସଞ୍ଜୀବ ପୁଅର ପ୍ରତିଭାକୁ ବଢ଼ାଇବା ପାଇଁ ଘର ପଛପଟେ ଏକ ଛୋଟିଆ ଅଭ୍ୟାସ କ୍ଷେତ୍ର ତିଆରି କରିଥିଲେ । ୯ ବର୍ଷ ବୟସରେ ସୂର୍ଯ୍ୟବଂଶୀ ଏକ କ୍ରିକେଟ୍ ଏକାଡେମୀରେ ଯୋଗ ଦେଇଥିଲେ ଏବଂ ବହୁତ ଜଲଦି ବିହାର କ୍ରିକେଟରେ ସ୍ଥାନ ପାଇଥିଲେ ।