ଦକ୍ଷିଣ ଆଫ୍ରିକା କୋଚ୍ ମାର୍କ ବାଉଚର୍ କଲେ ବଡ଼ ଖୁଲାସା, ଏହି କାରଣରୁ ଟି-୨୦ ବିଶ୍ୱକପ ଖେଳିପାରିବେନି ଏବି ଡିଭିଲିୟର୍ସ

 

୨୦୨୧ ଆଇପିଏଲ ରେ ଦମଦାର ପ୍ରଦର୍ଶନ ପରେ ଦୀର୍ଘ ଦିନ ଧରି ପ୍ରଶଂସକମାନେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଭେଟେରାନ କ୍ରିକେଟର ଏବି ଡିଭିଲିୟର୍ସ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ବୋଲି ଆଶା ବାନ୍ଧି ବସିଥିଲେ। କିନ୍ତୁ ସେମାନଙ୍କର ଏହି ଆଶା ବର୍ତ୍ତମାନ ମଉଳି ଯାଇଛି, କାରଣ ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକାର ଜର୍ସିରେ ଆଉ କେବେବି ଦେଖାଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦକ୍ଷିଣ ଆଫ୍ରିକା କୋଚ୍ ମାର୍କ ବାଉଚର୍।

ଦକ୍ଷିଣ ଆଫ୍ରିକାର ମୁଖ୍ୟ ପ୍ରଶିକ୍ଷକ ମାର୍କ ବାଉଚର୍ ବିଶ୍ୱାସ କରନ୍ତି ଯେ ଏବି ଡି ଭିଲିୟର୍ସ ବର୍ତ୍ତମାନ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ଟି-୨୦ ବ୍ୟାଟ୍ସମ୍ୟାନ୍ ଅଟନ୍ତି କିନ୍ତୁ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ପୁଣି ଫେରି ଆସି ଟି-୨୦ ବିଶ୍ୱକପ୍‌ରେ ଖେଳିବାର ଆଶା ନାହିଁ। ଏବି ଡିଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ପୁନର୍ବାର ନ ଫେରିବା ପାଇଁ ନିଷ୍ପତ୍ତି ନେଇଥିବା କଥା ମଙ୍ଗଳବାର ସ୍ପଷ୍ଟ କରିଛି କ୍ରିକେଟ୍ ଦକ୍ଷିଣ ଆଫ୍ରିକା (CSA) ।

ତାଙ୍କର ପୂର୍ବତନ ସାଥୀ ତଥା ବର୍ତ୍ତମାନର ଜାତୀୟ ପ୍ରଶିକ୍ଷକ ବାଉଚର୍ ଏବି ଡିଭିଲିୟର୍ସଙ୍କ ନିଷ୍ପତ୍ତିର କାରଣ ଦର୍ଶାଇ କହିଛନ୍ତି ଯେ, କିଛି ବର୍ଷ ହେବ ଦଳରେ ଥିବା ଯୁବ ଖେଳାଳିଙ୍କ ଜାଗାକୁ ଅକ୍ତିଆର କରିବାକୁ ଡିଭିଲିୟର୍ସ ଚାହାଁନ୍ତି ନାହିଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଏବିଙ୍କର ନିଜସ୍ୱ କାରଣ ରହିଛିଛି ଯାହାକୁ ମୁଁ ସମ୍ମାନ କରେ।  ଦୁର୍ଭାଗ୍ୟବଶତ ଟି-୨୦ ବିଶ୍ୱକପ ପାଇଁ ସେ ଦଳର ଅଂଶ ହେବାକୁ ସମର୍ଥ ହେବେ ନାହିଁ। ମୁଁ ଦୁର୍ଭାଗ୍ୟବଶତଃ ଏହା କହୁଛି କାରଣ ମୁଁ ଭାବୁଛି ଯେ ସେ ବର୍ତ୍ତମାନ ସମୟର ଶ୍ରେଷ୍ଠ ଟି-୨୦ ବ୍ୟାଟ୍ସମ୍ୟାନ୍ ମାନଙ୍କ ଭିତରେ ଅନ୍ୟତମ ଅଟନ୍ତି"।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏବି ଡିଭିଲିୟର୍ସ ହଠାତ୍ ମେ ୨୦୧୮ ମସିହାରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଅବଶ୍ୟ ଡିଭିଲିୟର୍ସ ୨୦୧୯ ବିଶ୍ୱକପରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ଦଳ ପରିଚାଳନା କମିଟି ଦ୍ୱାରା ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।