ଟି୨୦ ବିଶ୍ୱକପ ଦଳରୁ ବାହାରିଯିବେ ଏହି ଷ୍ଟାର ବଡ଼ ଖେଳାଳୀ, ଲଗାତାର କରୁଛନ୍ତି ଖରାପ ପ୍ରଦର୍ଶନ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

 

ଆଗାମୀ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ। ଅବଶ୍ୟ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆହୁରି ତିନି ମାସରୁ ଅଧିକ ସମୟ ଅଛି। କିନ୍ତୁ, ଟି-୨୦ ବିଶ୍ୱକପ୍‌ର ସମ୍ଭାବ୍ୟ ଦଳକୁ ନେଇ ଏବେ ଠାରୁ ହିଁ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ଖାସ୍ କରି ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର୍ ବିରାଟ କୋହଲିଙ୍କ ସ୍ଥାନକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଦୀର୍ଘ ସମୟ ଧରି ବିରାଟ ଆଶାଅନୁରୂପ ଭାବରେ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆ ଯାଇଥିବା ବେଳେ ଚଳିତ ଇଂଲଣ୍ଡ ସିରିଜ ତାଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ରହିବ। ପ୍ରଥମ ମ୍ୟାଚରେ ସହଳ ଆଉଟ ହୋଇଥିବା ବିରାଟ ଯଦି ଇଂଲଣ୍ଡ ସିରିଜରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ ନ କରନ୍ତି। ତେବେ, ଆଗାମୀ ବିଶ୍ୱକପ ଦଳରେ ତାଙ୍କର ବାଦ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ କୋହଲିଙ୍କ ସ୍ଥାନ ନେବାପାଇଁ ମଧ୍ୟ ଖେଳାଳିମାନଙ୍କର ଲମ୍ବା ଲାଇନ ଲାଗିଛି। ଖାସ କରି ଟି-୨୦ ରେ ଚମତ୍କାର ପ୍ରଦର୍ଶନ କରି ଦୀପକ ହୁଡ୍ଡା ନିଜର ଦାବିଦାରୀ ପ୍ରସ୍ତୁତ କରି ସାରିଛନ୍ତି। କିଛି ଦିନର ବିଶ୍ରାମ ପରେ କେ.ଏଲ ରାହୁଲ ମଧ୍ୟ ପୁଣିଥରେ ଭାରତୀୟ ଦଳକୁ ଫେରିବେ। ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ଏବଂ ତଳେ ବ୍ୟାଟିଂ କରୁଥିବା ହାର୍ଦିକ ପାଣ୍ଡ୍ୟା ଏବଂ ଦିନେଶ କାର୍ତ୍ତିକ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ଇଂଲଣ୍ଡ ଟୁର ପରେ ବିଶ୍ୱକପ ପାଇଁ ସମ୍ଭାବ୍ୟ ଦଳ ପ୍ରସ୍ତୁତ ହେବାକୁ ଥିବାବେଳେ ବିରାଟ କୋହଲିଙ୍କୁ ନିଜ ସ୍ଥାନ ବଞ୍ଚାଇବାକୁ କଠିନ ପରିଶ୍ରମ କରିବାକୁ ହେବ।