ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ହରାଇବା ପାଇଁ ସାହାଯ୍ୟ କରିଥିଲେ ଧୋନୀ! ଜାଣନ୍ତୁ କେମିତି

 

ସମସ୍ତଙ୍କ ପୂର୍ବାନୁମାନକୁ ଭୁଲ ସାବ୍ୟସ୍ତ କରି ଚଳିତବର୍ଷର ଏସିଆ କପକୁ ଜିତି ନେଇଛି ଶ୍ରୀଲଙ୍କା। ୟୁଏଇ ଠାରେ ଅନୁଷ୍ଠିତ ହୋଇଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଶ୍ରୀଲଙ୍କା ଟାଇଟେଲ ଜିତିବ ବୋଲି କେହି ଭାବିନଥିଲେ। କିନ୍ତୁ, ଶ୍ରୀଲଙ୍କାର ଏହି ବିଜୟରେ ପୂର୍ବତନ ଭାରତୀୟ ଅଧିନାୟକ ଏମ୍.ଏସ୍ ଧୋନୀଙ୍କର ହାତ ରହିଥିବା କହିଛନ୍ତି ଅଧିନାୟକ ଦାସୁନ ଶନକା।

ଏହିପରି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି ଶନକା। ତାଙ୍କ କହିବା ଅନୁଯାଇ ଏସିଆ କପରେ ଟସର ବହୁତ ବଡ଼ ଭୂମିକା ରହିଥିଲା। ଫାଇନାଲ୍ ମ୍ୟାଚରେ ଟସ୍ ହାରିଥିଲେ ହେଁ ଏହି ମ୍ୟାଚ ଜିତିପାରିବ ବୋଲି ଶ୍ରୀଲଙ୍କା ବିଶ୍ୱାସ ରଖିଥିଲା। ଶନକାଙ୍କ କହିବା ଅନୁଯାଇ ଆଇପିଏଲ୍‌ ୨୦୨୧ର ଫାଇନାଲ ମ୍ୟାଚରେ ମଧ୍ୟ ଦୁବାଇ କ୍ରିକେଟ ଷ୍ଟାଡିୟମରେ ସିଏସକେ ପ୍ରଥମେ ବ୍ୟାଟିଂ କରି ବିଜୟ ହାସଲ କରିଥିଲା।

ଏମ୍.ଏସ୍ ଧୋନୀଙ୍କ ଆଇପିଏଲ ଟିମ ଏହା କରିବାରେ ସଫଳ ହୋଇଥିଲା। ସେହିପରି ଏସିଆ କପ୍ ଫାଇନାଲର ଟସ୍ ହାରିବା ପରେ ଶ୍ରୀଲଙ୍କା ଦଳ ଏହାକୁ ଏକ ଉଧାରଣ ଭାବରେ ଗ୍ରହଣ କରିଥିବା ଦାସୁନ ଶନକା କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଫାଇନାଲ୍ ମ୍ୟାଚରେ ପାକିସ୍ତାନ ପ୍ରଥମେ ବୋଲିଂ କରି ଚମତ୍କାର ଆରମ୍ଭ କରିଥିଲା। କିନ୍ତୁ, ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ସେ(୭୧*) ରନ୍, ୱାନିନ୍ଦୁ ହସରଙ୍ଗା(୩୬), ଚାମିକା କରୁଣାରତ୍ନେ (୧୪) ରନ୍ କରି ଦଳକୁ ଏକ ବଡ଼ ସ୍କୋର ଯାଏଁ ପହଞ୍ଚାଇଥିଲେ। ଜବାବରେ ପାକିସ୍ତାନ ମାତ୍ର ୧୪୭ ରନ୍ କରିବାକୁ ସକ୍ଷମ ହୋଇଥିଲା।