କ୍ରିକେଟ ଜଗତ ସ୍ତବ୍ଧ! ମାତ୍ର ୪୬ ବର୍ଷରେ ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ପରଲୋକ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

 

ଅଷ୍ଟ୍ରେଲୀୟ କ୍ରିକେଟର ସେନ ୱାର୍ନଙ୍କ ପରେ ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ଶନିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। କୁହାଯାଉଛି ଯେ ୪୬ ବର୍ଷିୟ ସାଇମଣ୍ଡସଙ୍କ କାର କୁଇନ୍ସଲ୍ୟାଣ୍ଡର ଟାଉନ୍ସଭିଲରେ ଏକ ଦୁର୍ଘଟଣାର ଶିକାର ହୋଇଥିଲା। ସାଇମଣ୍ଡସ ଙ୍କ ମୃତ୍ୟୁ ପରେ କ୍ରିକେଟ୍ ଦୁନିଆ ଏବଂ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଚଳିତ ବର୍ଷ ମାର୍ଚ୍ଚରେ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ରଡ଼ନୀ ମାର୍ଶ ଏବଂ ସେନ ୱାର୍ଣ୍ଣଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା।

ନ୍ୟୁଜ୍ ଏଜେନ୍ସି AFP ରିପୋର୍ଟ ଅନୁଯାଇ ଟାଉନ୍ସଭିଲ୍ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ହେର୍ଭି ରେଞ୍ଜରେ ଏହି ଦୁର୍ଘଟଣା ଘଟିଥିଲା। ଡାକ୍ତରମାନଙ୍କ କହିବା ଅନୁଯାଇ ଯେତେବେଳେ ସାଇମଣ୍ଡସଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ସେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା।  ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ସାଇମଣ୍ଡସଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସଫଳ ହୋଇପାରିନଥିଲେ। ସାଇମଣ୍ଡସ୍ ଧ୍ରୁତ ଗତିରେ କାର ଚଳାଉଥିବା ବେଳେ କାରଟି ଓଲଟି ଯିବାରୁ ସେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି।

ଧଳା ବଲ୍ କ୍ରିକେଟର ବଡ଼ ମ୍ୟାଚ ବିଜେତା ଭାବରେ ଜଣାଶୁଣା ସାଇମଣ୍ଡସ୍ ୧୦ ନଭେମ୍ବର ୧୯୯୮ ରେ ନିଜର ଏକଦିବସୀୟ ଡେବ୍ୟୁ କରିଥିଲେ। ସେ ଅଷ୍ଟ୍ରେଲିଆ ପାଇଁ ୧୯୮ ଟି ODI ରେ ୫୦୮୮ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୫ ଶତକ ଏବଂ ୩୦ ଅର୍ଦ୍ଧଶତକ ସାମିଲ ରହିଥିଲା।  ସାଇମଣ୍ଡସ୍ ୮ ମାର୍ଚ୍ଚ ୨୦୦୪ ରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ୨୬ ଟି ମ୍ୟାଚରେ ୧୪୬୨ ରନ୍ ସଂଗ୍ରହ କରିଥିଲେ। ଟେଷ୍ଟ କ୍ରିକେଟରେ ସାଇମଣ୍ଡସ୍ ୨ ଶତକ ଏବଂ ୧୦ ଅର୍ଦ୍ଧଶତକ ହାସଲ କରିଥିଲେ।