ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆକୁ ନେଇ ଅନିଶ୍ଚିତତା! ହାଇକୋର୍ଟରେ ପହଞ୍ଚିଲା ବିବାଦ, ବାତିଲ୍ ହୋଇପାରେ ମ୍ୟାଚ୍, ଜାଣନ୍ତୁ କାହିଁକି

 

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକଦିବାସୀୟ ସିରିଜ ଜାରି ରହିଛି। ତେବେ, ଏହାର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳା ଯାଇଥିବା ବେଳେ ଏଥିରେ ଭାରତ ୧୨ ରନରେ ବିଜୟ ଲାଭ କରିଥିଲା। ସେହିପରି ଦ୍ଵିତୀୟ ମ୍ୟାଚ ଛତିଶଗଡ଼ ରାଇପୁର ଠାରେ ଖେଳାଯିବ। ତେବେ, ତୃତୀୟ ମ୍ୟାଚର ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇନ୍ଦୋର୍ ହୋଲକର୍ ଷ୍ଟାଡିୟମ୍ ଠାରେ ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଏଥିନେଇ ଆଶଙ୍କା ସୃଷ୍ଟି ହୋଇଛି।

ମ୍ୟାଚ ପାଇଁ ବିକ୍ରି ହୋଇଥିବା ଟିକେଟରେ କଳାବଜାରୀ ଏବଂ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଏହି ମାମଲା ବର୍ତ୍ତମାନ ଯାଇ ହାଇକୋର୍ଟରେ ପହଞ୍ଚି ସାରିଲାଣି। ଯଦି ମ୍ୟାଚ ସେଠାରେ ଖେଳା ନ ଯାଏ ତେବେ ମଧ୍ୟପ୍ରଦେଶର କ୍ରିକେଟ ଫ୍ୟାନ୍ସ ମାନଙ୍କୁ ରିହାତି ମିଳିବ ଅଥବା ଏହି ମ୍ୟାଚକୁ କେଉଁଠାକୁ ସ୍ଥାନାନ୍ତରିତ କରାଯିବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆବେଦନକାରୀ କଂଗ୍ରେସ ନେତା ରାକେଶ ସିଂଙ୍କ ଅଭିଯୋଗ ଅନୁଯାଇ MPCA ଜାନୁଆରୀ ୧୨ ତାରିଖ ସକାଳ ୬ଟାରୁ ଅନଲାଇଇନ୍ ଟିକେଟ୍ ବିକ୍ରି ଆରମ୍ଭ କରିଥିଲା। କେବଳ ଗୋଟିଏ ମିନିଟରେ ଅନଲାଇନ୍ ସାଇଟରୁ ୩୧୧୮ ଟିକେଟ୍ ବିକ୍ରି ହୋଇଥିଲା। ପରବର୍ତ୍ତୀ ଦ୍ୱିତୀୟ ମିନିଟରେ ୧୬୦୦ ଟିକେଟ୍ ବିକ୍ରି ହେଲା ଓ ପାଞ୍ଚ ମିନିଟ୍ ମଧ୍ୟରେ ୬୨୬୦ ଟିକେଟ୍ ବିକ୍ରି ହୋଇସାରିଥିଲା। OTP ଆସିବା ପାଇଁ ୧ ମିନିଟ ସମୟ ଲାଗୁଥିବା ବେଳେ ମାତ୍ର ୧୫ ମିନିଟରେ ୧୭୦୦୦ ଟିକେଟ ବିକ୍ରି ହେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। କୋର୍ଟ ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ବିସିସିଆଇକୁ ମଧ୍ୟ ଅଭିଯୋଗ କରାଯାଇଛି।