ଦେଖନ୍ତୁ ଭିଡ଼ିଓ: ଜୋର ଜବରଦସ୍ତ IPS ଅଧିକାରୀ ଅମିତାଭ ଠାକୁରଙ୍କୁ ଉଠାଇନେଲା ୟୁପି ପୋଲିସ ! ନାଟକୀୟ ଭିଡ଼ିଓ ହେଲା ଭାଇରାଲ

 

ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇଥିବା ଅଭିଯୋଗରେ ୟୁପି କ୍ୟାଡରର ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ପୋଲିସ ଶ୍ରୀ ଠାକୁରଙ୍କୁ ତାଙ୍କ ବସଭବନରୁ ଜୋର୍ ଜବରଦସ୍ତ ଉଠାଇ ନେଉଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଭିଡ଼ିଓରେ ୨ ରୁ ୩ ଜଣ ପୋଲିସ କର୍ମୀ ଶ୍ରୀ ଠାକୁରଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ପୋଲିସ ଜିପ୍ ଭିତରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳୁଛି। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଶ୍ରୀ ଠାକୁର ଏହାକୁ ବିରୋଧ କରିବା ସହ 'ମୁଁ ଏପରି ଯିବିନି ଓ ମୋତେ ଏଫଆଇଆର ଦେଖାଅ' ବୋଲି ଚିତ୍କାର କରି ଚାଲିଥିଲେ। ଜଣେ ଆଇପିଏସ୍‌ ଅଫିସରଙ୍କୁ ଏଭଳି ଭାବରେ ଟେକିନେଇ ଉତ୍ତର ପ୍ରଦେଶ ପୁଲିସ୍‌ ଜିପ୍‌ରେ ଭର୍ତ୍ତି କରି ନେଇଯିବା ଘଟଣାକୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ସହ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ବିରୋଧ କରିଛନ୍ତି।

ଏଠାରେ କହିରଖୁଛୁ ଯେ ୨୦୧୯ ମସିହା ମେ' ମାସରେ ବିଏସପି ସାଂସଦ ଅତୁଲ ରୟ ଏହି ଯୁବତୀଙ୍କୁ ବାରାଣସୀ ସ୍ଥିତ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ମାସକ ପରେ ଅତୁଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ସେବେଠାରୁ ସେ ଜେଲରେ ରହିଛନ୍ତି। କିନ୍ତୁ, ଅତୁଳଙ୍କ ବଡ଼ ଭାଇ ପୀଡ଼ିତାଙ୍କ ବିରୁଦ୍ଧରେ ଏକ ଠକେଇ ଅଭିଯୋଗ ଆଣିଥିଲେ ଯାହାଫଳରେ ପୋଲିସ ତାଙ୍କୁ ଖୋଜୁଥିଲା। ଏହି କାରଣରୁ ମାନସିକ ଅବସାଦ ହେତୁ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଅନ୍ୟପକ୍ଷରେ ଅମିତାଭ ଠାକୁର ଆଗାମୀ ନିର୍ବାଚନରେ ବିଜେପି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦ୍ୟନାଥଙ୍କ ବିରୋଧରେ ଲଢ଼ିବେ ବୋଲି ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିବାରୁ ତାଙ୍କୁ ଏଭଳି ଭାବରେ ଗିରଫ କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଯେ ପୂର୍ବରୁ ମଧ୍ୟ ବିଜେପି ଓ ଯୋଗୀ ସରକାରକୁ ଶ୍ରୀ ଠାକୁର ଖୋଲାଖୋଲି ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। ଏପରିକି ଶ୍ରୀ ଠାକୁରଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାଧ୍ୟତାମୂଳକ ଅବସର ଦେବା ପରେ ସେ ଉତ୍ୟକ୍ତ ହୋଇ ଉଠିଥିଲେ। ରାଜ୍ୟରେ କ୍ଷମତାସୀନ ବିଜେପି ସରକାର କଥାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏପରି ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଥିଲେ।