ଲଭର୍ସ ପଏଣ୍ଟ ସାଜିଛି ଐତିହାସିକ ଷ୍ଟେସନ, ବନ୍ଦ ଯୋଗୁଁ ସଞ୍ଜ ନଉଁନଉଁ ଜମୁଛି ପ୍ରେମୀଯୁଗଳ ଆଡ୍ଡା, ଆଉ ତାପରେ ଚାଲୁଛି...

 

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ଏବଂ ପ୍ରେମୀଯୁଗଳଙ୍କ ଲଭ୍ ପଏଣ୍ଟ ପାଲଟିଯାଇଛି ଐତିହାସିକ ସମ୍ବଲପୁର ରେଳ ରୋଡ୍ ଷ୍ଟେସନ। ଦୀର୍ଘଦିନ ଧରି ଏହି ଷ୍ଟେସନରେ ଟ୍ରେନ ରାହୁନଥିବା ବେଳେ ବୈଷୟିକ ତ୍ରୁଟି ଦର୍ଶାଇ ଟିକେଟ କାଉଣ୍ଟରକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଦିନେ ଏଠାରେ ଟ୍ରେନରେ ଯିବା ପାଇଁ ଯାତ୍ରୀମାନଙ୍କର ଭିଡ଼ ଜମୁଥିବା ବେଳେ ଏବେ କିନ୍ତୁ ପ୍ରେମୀ ଯୁଗଳଙ୍କ ଭିଡ଼ ଜମୁଛି।

ପରିସ୍ଥିତି ଏଭଳି ହୋଇଛି ଯେ ଏଠାରେ ସୁରକ୍ଷାକର୍ମୀ ତ ଦୂରର କଥା ଜଗିବା ପାଇଁ ଗାର୍ଡ ମଧ୍ୟ ନାହାଁନ୍ତି। ସନ୍ଧ୍ୟା ହେଉ ହେଉ ଏଠାରେ ଖାଲି ପଡ଼ିଥିବା ବେଞ୍ଚ ଗୁଡ଼ିକୁ ପ୍ରେମୀ ଯୁଗଳମାନେ ଅକ୍ତିଆର କରି ନେଉଛନ୍ତି। ଆଉ ଜାଗା ନ ମିଳିଲେ ଫୁଟ ଓଭର ବ୍ରିଜ ଉପରେ ମଧ୍ୟ କାମ ଚଳି ଯାଉଛି। ଆଖପାଖରେ କୌଣସି ପାର୍କ ନ ଥିବାରୁ ପ୍ରେମୀ ଯୁଗଳମାନେ ଏକାନ୍ତରେ ମିଶିବା ପାଇଁ ଏହି ସ୍ଥାନକୁ ସବୁଠାରୁ ସୁରକ୍ଷିତ ମନେ କରୁଛନ୍ତି।

ଏଠାରେ କେତେକ ପ୍ରେମୀ ଯୁଗଳ ଅସଞ୍ଜତ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି କିଛିଦିନ ତଳେ ଉତ୍ତେଜନା ଦେଖା ଦେଇଥିଲା। ସବୁଠାରୁ ବଡ଼ କଥା ହେଉଛି ଏପରି ଘଟଣା ସତ୍ତ୍ୱେ ଏଠାରେ ପ୍ରେମୀଯୁଗଳଙ୍କ ଭିଡ଼ ଦେଖିବାକୁ ମିଳୁଛି। ବିଳମ୍ବିତ ରାତିରେ ଏଠାରେ ଅସାମାଜିକଙ୍କ ଭିଡ଼ ଜମୁଥିବାରୁ ଆଗକୁ କୌଣସି ବଡ଼ ଅଘଟଣ ଘଟିଲେ କିଏ ଦାୟୀ ହେବ ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।