ଦେଖନ୍ତୁ ଭିଡ଼ିଓ: ଘରେ ପଶି ମାନସ ଦାସ ଓ ତାଙ୍କ ପୁଅକୁ ଉଠାଇନେଲା ପୋଲିସ, ରହିଛି ଏହି ସବୁ ସଙ୍ଗୀନ ଅଭିଯୋଗ

 

ବହୁ ଚର୍ଚ୍ଚିତ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ଏବଂ ପୁଅ ମନୋରଞ୍ଜନ ଦାସକୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ। ଉଭୟଙ୍କୁ ଗିରଫ କରାଯାଇ ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ବାପ ପୁଅଙ୍କ ନାମରେ ହତ୍ୟା ଓ ନିର୍ଯାତନା ଦେବା ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଛି। ମାନସ ବିରୁଦ୍ଧରେ ଠୋସ୍ ପ୍ରମାଣ ମିଳିବା ପରେ ଖୋର୍ଦ୍ଧା ପୋଲିସ ତାଙ୍କ ଘରେ ପଶି ବାପ ପୁଅଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ମାନବବାଦ ସଙ୍ଗଠନର କିଛି କର୍ମୀ ବାପ-ପୁଅଙ୍କୁ ନିର୍ଧୁମ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ଏକଛତ୍ରବାଦୀ ଶାସନ ଚଳାଇଥିବା ଏହି ସଙ୍ଗଠନ ଚର୍ଚ୍ଚାକୁ ଆସିଥିଲା। ପରେ ପରେ ସଂଘଠନ ନାମରେ ହତ୍ୟା ସହିତ ଅନେକ ଭିନ୍ନ ଭିନ୍ନ ମାମଲା ସାମ୍ନାକୁ ଆସିଥିଲା। ସେବେଠାରୁ ଏହି ସଙ୍ଗଠନ ମୁଖ୍ୟ ମାନସ ଦାସକୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା।

ମାନସ ସଙ୍ଗଠନ ନାମରେ ନିରୀହ ଆଦିବାସୀ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଥିଲା। ଜବରଦସ୍ତି ଲୋକମାନଙ୍କୁ ନିଜ ସଙ୍ଗଠନରେ ସାମିଲ କରାଇବା ସହ ତାଙ୍କୁ ସଙ୍ଗଠନର ନିୟମ ମାନିବାକୁ ବାଧ୍ୟ କରାଯାଉଥିଲା। ଏପରିକି ଗିରଫ ହେବା ଦିନ ବି ସେ ଖୋର୍ଦ୍ଧା ବୋଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲା ବୋଲି ଥାନାରେ ଏତଲା ଦିଆଯାଇଥିଲା। ତେବେ, ଉପଯୁକ୍ତ ପ୍ରମାଣ ମିଳିବା ପରେ ହିଁ ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି।