ସଡ଼କ ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ଏତେ ହଜାର ଟଙ୍କାର ପୁରସ୍କାର, ଜାଣନ୍ତୁ ପୂରା ଖବର

 

ସୋମବାର ଦିନ ସଡ଼କ ଓ ପରିବହନ ମନ୍ତ୍ରଣାଳାୟ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାଇ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଯେ କେହି ବି ସାହାଯ୍ୟ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ। ସାହାଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ଏହି ଯୋଜନା ସମ୍ପର୍କରେ ସଡ଼କ ଓ ପରିବହନ ବିଭାଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି। ଏହି ନିୟମ ଚଳିତ ବର୍ଷ ଅକ୍ଟୋବର ୧୫ରୁ ଲାଗୁ ହୋଇ ମାର୍ଚ୍ଚ ୩୧ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। ସାହାଯ୍ୟକାରିଙ୍କୁ ପୁରସ୍କାର ସହ ଏକ ପ୍ରମାଣପତ୍ର ମଧ୍ୟ ଦିଆଯିବ। ପ୍ରମୁଖ କଥା ହେଉଛି ସାହାଯ୍ୟକାରୀ ବ୍ୟକ୍ତି ଜଣକ ଦୁର୍ଘଟଣାର ଏକ ଘଣ୍ଟା ଭିତରେ ଡ଼ାକ୍ତରଖାନାରେ ପହଞ୍ଚାଇବାକୁ ହେବ।

ଏକ ରିପୋର୍ଟ ଅନୁଯାଇ ସଡ଼କ ଦୁର୍ଘଟଣାରେ ଭାରତ ପ୍ରଥମ ସ୍ଥାନରେ ରହିଛି। ଆମେରିକା ଦ୍ଵିତୀୟ ଓ ଚିନ ତୃତୀୟ ସ୍ଥାନରେ ରହିଛି। ଆମ ଦେଶରେ ଆନୁମାନିକ ପ୍ରତିବର୍ଷ ଦେଢ଼ ଲକ୍ଷ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ବେଳେ ଚାରି ଲକ୍ଷ ଲୋକେ ଆହତ ହୋଇଥାନ୍ତି। ତେଣୁ, ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ ସମସ୍ତ ରାଜ୍ୟର ଷ୍ଟେକ୍ ହୋଲ୍ଡରମାନଙ୍କୁ ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ଗଠନ କରାଯିବ। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଡାକ୍ତରଖାନା ଆଣିଥିବା ସହୃଦୟ ବ୍ୟକ୍ତିଙ୍କର ନାମ ଏହି ପୋର୍ଟାଲରେ ପଞ୍ଜୀକୃତ ହେବ। ପରବର୍ତ୍ତୀ ସମୟରେ ତାଙ୍କୁ ପୁରସ୍କାର ସ୍ୱରୂପ ଅର୍ଥରାଶି ପ୍ରଦାନ କରାଯିବ।