ଦେଖନ୍ତୁ ଭିଡ଼ିଓ: ପୁଣି ସାମ୍ନାକୁ ଆସିଲା କେନ୍ଦ୍ରାପଡ଼ା ପୋଲିସର ଦବଙ୍ଗଗିରି, ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ କରିଲେ ସଂଘବଦ୍ଧ ଆକ୍ରମଣ

 

ପୁଣି ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ପୋଲିସର ଦବଙ୍ଗଗିରି। ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ଡବଲ ଫାଇନ୍ ମାଗିବା ସହ ତାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ବ୍ୟକ୍ତିଜଣକ ପୋଲିସ ଉପରେ ଆଗୁଆ ଆକ୍ରମଣ କରିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଘଟଣା ଅନୁଯାଇ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗରାପୁର ବଉଳବିହାରରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ମନୋରଂଜନ ରାଉତ ତାଙ୍କ ପତ୍ନୀଙ୍କ ସହ ବୁଧବାର ରାତିରେ କେନ୍ଦ୍ରାପଡ଼ା ସହରକୁ ଜିନିଷପତ୍ର କିଣିବାକୁ ଆସିଥିଲେ। ସେ ଦୁହୁରିଆ ଆଡ଼ୁ ସହରକୁ ଆସୁଥିବା ବେଳେ ହେଲମେଟ ପିନ୍ଧି ନ ଥିବାରୁ ପୋଲିସ ତାଙ୍କଠାରୁ ଫାଇନ ଆଦାୟ କରିଥିଲା। ହେଲେ ତିନିମୁହାଣି ଛକ ନିକଟରେ ଟାଉନ ପୁଲିସ୍‌ ଚେକିଂ କରୁଥିବା ବେଳେ ତାଙ୍କୁ ପୁଣି ଜରିମାନା ମଗା ଯାଇଥିଲା।

ଶ୍ରୀ ରାଉତ ସେଠାରେ ପୋଲିସକୁ ପୂର୍ବରୁ କଟାଯାଇଥିବା ଜରିମାନାର ରସିଦ ଦେଖାଇଥିଲେ ହେଁ ପୋଲିସ ବାବୁ କିଛି ଶୁଣି ନଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଏବଂ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ମନୋରଂଜନଙ୍କୁ ପୋଲିସ ସଂଘବଦ୍ଧ ଭାବରେ ଆକ୍ରମଣ କରି ଗୁରୁତର କରିଦେଇଥିଲା। ଦେଖନ୍ତୁ ଭିଡ଼ିଓ:-

ମନୋରଂଜନଙ୍କ ସ୍ତ୍ରୀ ରଞ୍ଜିତା ସେଠାରେ ଉପସ୍ଥିତ ଥାଇ ବହୁତ ନେହୁରା ହୋଇଥିଲେ ହେଁ ପୋଲିସ ତାଙ୍କ ସ୍ୱାମୀଙ୍କୁ ଗଡ଼ାଇ ତଡ଼ାଇ ପିଟିଥିଲା। ପରେ ପୋଲିସ ମନୋରଂଜନଙ୍କୁ ଗିରଫ କରି ଥାନାକୁ ନେଇଯାଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ଟାଉନ୍‌ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝାବୁଝି କରିଛନ୍ତି। ତେବେ, ମିଳିଥିବା ସୂଚନା ଅନୁଯାଇ ଏହି ମାମଲାରେ ଜଣେ ହାବିଲଦାର ଏବଂ ଦୁଇ ମହିଳା ପୋଲିସ କର୍ମଚାରୀଙ୍କ ସମେତ ୬ ଜଣଙ୍କୁ ନିଲମ୍ବିତ କରାଯାଇଛି।