ମାଡ଼ି ଆସୁଛି ବାତ୍ୟା ‘ଜୱାତ୍‌’, ଆଗାମୀ ୪୮ ଘଣ୍ଟା ଭିତରେ ଅବପାତର ରୂପ ନେଇ ରଚାଇବ ତାଣ୍ଡବ, ଜାଣନ୍ତୁ କଣ ରହିବ ଓଡ଼ିଶା ଉପରେ ପ୍ରଭାବ

 

ମାଡ଼ିଆସୁଛି ବାତ୍ୟା 'ଜୱାତ୍', ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ସାଗର ଉପରେ ଲଘୁଚାପର ରୂପ ନେଇଛି। ଏହା ୧୭ ତାରିଖ ସୁଦ୍ଧା ଗଭୀର ଅବପାତର ରୂପ ନେଇ ୧୯ ତାରିଖ ସୁଦ୍ଧା ବାତ୍ୟାରେ ପରିବର୍ତ୍ତିତ ହୋଇ ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହିତ ଉପକୂଳ ଓଡ଼ିଶାରେ ମଧ୍ୟ ଆଂଶିକ ଏବଂ ମାଧ୍ୟମ ଧରଣର ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ସି ସରଫେସ୍‌ ଟେମ୍ପରେଚର (ଏସ୍‌ଏସ୍‌ଟି) ୨୯ରୁ ୩୦ଡିଗ୍ରୀ ସେଲସିୟସ୍‌ ରହୁଥିବା ବେଳେ ଇଣ୍ଡିଆନ ଓସେନ୍‌ ଡାଏପୋଲ୍‌ (ଆଇଓଡି), ମେଡନ୍‌ ଜୁଲିଅନ୍‌ ଓସିଲେସନ୍‌ ଏବଂ ଲାନିନାର ପ୍ରଭାବ ରହୁଛି। ତେଣୁ, ଏହି ଅବପାତ ସହଜରେ ଗଭୀର ଅବପାତ ଏବଂ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ ଅନୁଯାଇ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୫ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ପଶ୍ଚିମ ପୂର୍ବ ବଙ୍ଗୋପସାଗରରେ ଡିପ୍ରେସନ୍‌ରେ ପରିଣତ ହୋଇ ୧୮ ତାରିଖ ବେଳକୁ ଆନ୍ଧ୍ର ଉପକୂଳ ଛୁଇଁବ। ଅନ୍ୟପକ୍ଷରେ ଏହା ଉତ୍ତର ତାମିଲନାଡୁ ଏବଂ ଓଡ଼ିଶା ଭିତରେ ସ୍ଥଳଭାଗ ଛୁଇଁବ ବୋଲି ଆକ୍ୟୁୱେଦରର ମଡେଲ ପକ୍ଷରୁ ପୂର୍ବାନୁମାନ କରାଯାଇଛି।