ପୋଷାକକୁ ନେଇ ଅଡୁଆରେ ଉର୍ଫି ଜାଭେଦ୍, ବିଜେପି ନେତ୍ରୀଙ୍କ ଅଭିଯୋଗ ପରେ ପୋଲିସ ପଠାଇଲା ଲିଗାଲ୍ ନୋଟିସ୍, ଜାଣନ୍ତୁ ପୂରା ଖବର

 

ନିଜର ଅଜବ୍ ଗଜବ୍ ଷ୍ଟାଇଲ୍ ଏବଂ ଡ୍ରେସ୍ ପିନ୍ଧାକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ୍। କେବେ, ଖବର କାଗଜରେ ନିଜ ପାଇଁ ପୋଷାକ ତିଆରି କରିଥାନ୍ତି ତ କେତବେଳେ କେବଳ କିଛି ବ୍ଲେଡ଼ ସାହାଯ୍ୟରେ ନିଜ ଶରୀରକୁ ଢାଙ୍କିଥାନ୍ତି ଏହି ମଡେଲ। ତେବେ, ଉର୍ଫିଙ୍କର ଏଭଳି ଷ୍ଟାଇଲ୍ ଏବଂ ଅଙ୍ଗପ୍ରଦର୍ଶନକୁ ମଧ୍ୟ ବିଭିନ୍ନ ମହଲରେ ବିରୋଧ କରାଯାଇଥାଏ।

ସୋସିଆଲ ମିଡିଆରେ ଉର୍ଫି ବେସ୍ ଲୋକପ୍ରିୟ ହୋଇଥିବା ବେଳେ ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ବିଜେପି ନେତ୍ରୀ ଚିତ୍ରା ବାଘ୍ ଗତକିଛି ସମୟ ଧରି ଉର୍ଫିଙ୍କୁ ଟ୍ରୋଲ କରି ଆସିଛନ୍ତି। ତେବେ, ସେ ତାଙ୍କ ବିରୋଧରେ ଏତଲା ଦେବାକୁ ମଧ୍ୟ ପଛାଇ ନାହାଁନ୍ତି।

ମିଳିଥିବା ସୂଚନା ଅନୁଯାଇ ଚିତ୍ରା ବାଘ୍ ପ୍ରଥମ ଥର ପାଇଁ ଉର୍ଫିଙ୍କ ବିରୋଧରେ ମହିଳା ଆୟୋଗରେ ଅଭିଯୋଗ କରିଥିଲେ। କିନ୍ତୁ, ଆୟୋଗ ଏହାକୁ ଅଣଦେଖା କରିବାରୁ ସେ ପୁଣିଥରେ ମୁମ୍ବାଇ ପୋଲିସର ସହାୟତା ନେଇଥିଲେ। ମୁମ୍ବାଇ ପୋଲିସ ଏତଲା ପାଇବା ପରେ ଉର୍ଫିଙ୍କୁ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି। ଅପରପକ୍ଷରେ ଚିତ୍ରାଙ୍କ ପାଇଁ ମୁମ୍ବାଇରେ ହିଂସା ସୃଷ୍ଟି ହୋଇପାରେ ବୋଲି ଉର୍ଫି ପାଲଟା ଅଭିଯୋଗ ଆଣିଛନ୍ତି।