ଟ୍ଵିନ୍ ଟାୱାର୍ ବ୍ଲାଷ୍ଟ କରିବା ବେଳେ ଆଖିରେ ଆସିଯାଇଥିଲା ଲୁହ! ଘଟଣା ସମୟର ପୂରା ଅନୁଭୁତି ଖୁଲାସା କଲେ ଏହି ଇଞ୍ଜିନିୟର

 

ନୋଏଡ଼ା ଠାରେ ବେଆଇନ ଭାବରେ ନିର୍ମାଣ କରାଯାଇଥିବା ସୁପରଟେକ୍ ଟ୍ଵିନ୍ ଟାୱାରଟିକୁ ସଫଳତା ପୂର୍ବକ ଭାଙ୍ଗି ଦିଆଯାଇଛି। ପ୍ରାୟ ୩୭୦୦ କିଲୋ ଓଜନର ବିସ୍ଫୋରକ ସାହାଯ୍ୟରେ ଏହି ଟାୱାର୍ ଦ୍ୱେୟକୁ ଭାଙ୍ଗି ଦିଆଯାଇଛି। ତେବେ, ବିସ୍ଫୋରଣ ଦାୟିତ୍ୱ ନେଇଥିବା ଏଡିଫିସ୍ ଇଞ୍ଜିନିୟରିଙ୍ଗ କମ୍ପାନୀର ମୁଖ୍ୟ ଅଧିକାରୀ ଚେତନ ଦତ୍ତ ଏଥିନେଇ ଦୁଃଖ ବ୍ୟକ୍ତ କରିଛନ୍ତି। ବିଲ୍ଡିଂ ଭାଙ୍ଗିବା ସମୟରେ ତାଙ୍କ ଆଖିରେ ଲୁହ ଆସି ଯାଇଥିବା ସେ ପ୍ରକାଶ କରିଛନ୍ତି।

୪୦ ମହଲା ବିଶିଷ୍ଟ ଏବଂ ପ୍ରାୟ ୧୦୦ ମିଟର ଲମ୍ବା ଏହି ଟାୱାର୍ କୁ ଭାଙ୍ଗିବା ପାଇଁ ଏଡିଫିସ୍ ତରଫରୁ ୨୦ ରୁ ୨୫ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା। ବିସ୍ଫୋରଣ ଘଟିବା ଦିନ ତାଙ୍କ ସହିତ ଆହୁରି ୧୦ ଜଣ ସଦସ୍ୟ ଉପସ୍ଥିତ ରହିଥିବା ଚେତନ କହିଛନ୍ତି। ବିଲ୍ଡିଂ ଭାଙ୍ଗିବା ପରେ ଅନ୍ୟ ୪ ଅଧିକାରୀଙ୍କ ସହିତ ଘଟଣା ସ୍ଥଳକୁ ଯାଇଥିଲେ। ତେବେ, ଅପରେସନ ସଫଳ ହେବା ଦେଖି ତାଙ୍କ ଆଖିରେ ଲୁହ ଆସି ଯାଇଥିବା ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟ୍ଵିନ୍ ଟାୱାର୍ ଭାଙ୍ଗିବା ପୂର୍ବରୁ ଆଖ ପାଖରେ ଥିବା ସମସ୍ତ ସୋସାଇଟିକୁ ଖାଲି କରି ଦିଆଯାଇଥିଲା। ବିସ୍ଫୋରଣ ହେବା ପୂର୍ବରୁ ହିଁ ଏଥିନେଇ ସତର୍କ କରାଯିବା ସହିତ ସାଇରନ୍ ବଜାଯାଇଥିଲା। ପୂର୍ବରୁ ନିର୍ଦ୍ଧାରିତ ସମୟ ଅପରାହ୍ନ ପ୍ରାୟ ୨.୩୦ରେ ବିସ୍ଫୋରଣ କରାଯାଇଥିଲା। ସବୁଠାରୁ ତଳ ମହଲାରେ ବିସ୍ଫୋରଣ ଆରମ୍ଭ ହୋଇଥିବା ବେଳେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ୮୦୦ କୋଟି ମୂଲ୍ୟର ଏହି ଟାୱାର୍ ଦୁଇଟି ମାଟିରେ ମିଶି ଯାଇଥିଲା।