ମୋଦିଙ୍କ ରୂପରେ ପୁନର୍ଜନ୍ମ ନେଇଛନ୍ତି ସ୍ୱାମୀ ବିବେକାନନ୍ଦ! ବିଜେପି ସାଂସଦଙ୍କ ବୟାନକୁ ନେଇ ବିବାଦ, ଜାଣନ୍ତୁ ପୂରା ଘଟଣା

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଏ ଯୁଗର ସ୍ୱାମୀ ବିବେକାନନ୍ଦ, ଏପରି କିଛି ମନ୍ତବ୍ୟ ଦେଇ ଅଡୁଆରେ ବିଜେପିର ପଶ୍ଚିମବଙ୍ଗ ସାଂସଦ ସୌମିତ୍ର ଖାନ। ସ୍ୱାମୀ ବିବେକାନନ୍ଦ ମୋଦିଙ୍କ ରୂପରେ ଜନ୍ମ ଗ୍ରହଣ କରିଥିବା ନେଇ ସେ କହିଥିବା ବେଳେ ଏଥିପାଇଁ ବିରୋଧୀ ଦଳ ପକ୍ଷରୁ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଛି। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ଉପଲକ୍ଷେ ଗୁରୁବାର ବାଙ୍କୁରାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସୌମିତ୍ର ଏଭଳି ମନ୍ତବ୍ୟ ଦେଇଛନ୍ତି।

 ସେ କହିଛନ୍ତି ଯେ," ସ୍ୱାମୀଜୀ ନୂଆ ରୂପରେ ପୁନର୍ଜନ୍ମ ନେଇଛନ୍ତି। ତାଙ୍କ ନୂଆ ରୂପ ହେଉଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ ମାନଙ୍କ ପାଇଁ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଭଗବାନ ସଦୃଶ। ମା’ଙ୍କ ମୃତ୍ୟୁ ସତ୍ତ୍ୱେ ଆଜିକା ଦିନରେ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ମୋଦି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି, ମୁଁ ଭାବୁଛି ସେ ହେଉଛନ୍ତି ଆଧୁନିକ ଭାରତର ସ୍ୱାମୀଜୀଙ୍କ ନୂଆ ରୂପ"।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାର ବିଜେପି ସଭାପତି ନିତ୍ୟାନନ୍ଦ ରାଏ ମଧ୍ୟ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ସହିତ ତୁଳନା କରି ସାରିଛନ୍ତି। ତେବେ, ଏଭଳି ମନ୍ତବ୍ୟକୁ ଟିଏମସି ମନ୍ତ୍ରୀ ଓ କୋଲକାତା ମେୟର ଫିରହଦ ହାକିମ ବିରୋଧ କରିଛନ୍ତି। ବିଜେପି ଏବଂ ସ୍ୱାମୀ ବିବେକାନନ୍ଦଙ୍କ ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ ଥିବା ସେ କହିଛନ୍ତି।