ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ: ମୋ ସହ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ବାହା ହେଇଥିଲେ, ଜାଣନ୍ତୁ ପୁରା ଘଟଣା

 

ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ଭଳି ଘଟଣା ସବୁବେଳେ ନଜରକୁ ଆସିଛି । ହେଲେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି ମୈତ୍ରୀବିହାର ଥାନା ଅଞ୍ଚଳରେ । ପ୍ରଥମେ ବିବାହ ଓ ତା'ପରେ ଶାରୀରିକ ସମ୍ପର୍କ ରଖି ମହିଳାଙ୍କୁ ଛାଡ଼ି ଦେଇଛନ୍ତି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ଏନେଇ ଥାନାରେ ଅଭିଯୋଗ ହେଲା ପରେ ପୁଲିସ୍ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ମୈତ୍ରୀବିହାର ଥାନା ଅଞ୍ଚଳରେ ସପରିବାର ରହୁଛନ୍ତି ରୋଜି (ଛଦ୍ମନାମ) । ୨୦୨୩ରେ ମାଟ୍ରିମୋନିଆଲ୍ ସାଇଟ୍ରେ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା । କିଛିଦିନ ଫୋନ୍ରେ କଥାବାର୍ତ୍ତା ହୋଇଥିଲେ । ରେଳ ଅଧିକାରୀ ଜଣଙ୍କ ତାଙ୍କୁ ବିବାହ କରିବାକୁ କହିଥିଲେ । ଏଥିରେ ସେ ରାଜି ହୋଇଥିଲେ । ପରେ ଏକ ମନ୍ଦିରରେ ବିବାହ କରିଥିଲେ । ସ୍ୱାମୀ-ସ୍ତ୍ରୀ ଭଳି ଏକାଠି ରହିଥିଲେ । 

ହେଲେ ଏବେ ହଠାତ୍ ତାଙ୍କୁ ମାଡ଼ ମାରି ଘରୁ ବାହାରି ଯିବାକୁ କହିଥିଲେ । ମହିଳା ଜଣଙ୍କ କିଛି ଉପାୟ ନ ପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି, ରେଳ ଅଧିକାରୀ ପୂର୍ବରୁ ବିବାହିତ । ସେ କେବଳ ଶାରୀରିକ ସମ୍ପର୍କ ରଖିବା ପାଇଁ ମତେ ବିବାହ କରିଥିଲେ । ସେପଟେ ରେଳ ବିଭାଗର ଅଧିକାରୀ ଜଣଙ୍କ କହିଛନ୍ତି, ସେ ଦ୍ୱିତୀୟ ବିବାହ କରିଥିଲେ । 

ହେଲେ ବିବାହ ପରେ ଦ୍ୱିତୀୟ ପତ୍ନୀ ସମ୍ପତ୍ତି ପାଇଁ ଝଗଡ଼ା କରିଥିଲେ । ଏମିତିକି ପରିବାର ଲୋକଙ୍କୁ ହଇରାଣ କରିଥିଲେ । ମୁଁ ତଦନ୍ତରେ ପୁଲିସ୍କୁ ସହଯୋଗ କରିବି । ଥାନା ଅଧିକାରୀ କହିଛନ୍ତି, ଏହା ଛାଡ଼ପତ୍ର ମାମଲା । କୋର୍ଟରେ କେସ୍ ଚାଲିଛି । ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।