ବିଜେଡ଼ି ଛାଡ଼ି କାହିଁକି ବିଜେପିରେ ଯୋଗଦେଲେ ଅରିନ୍ଦମ, ବିଜେଡ଼ି ବିଷୟରେ ସବୁ ଖୋଲି କହିଦେଲେ ଅରିନ୍ଦମ

 

ବିଜେଡି ଛାଡ଼ିଲେ ଅଭିନେତା ଅରିନ୍ଦମ ରାୟ। ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର। କିଛି ଦିନ ଧିରି ଦଳ ସହ ସମ୍ପର୍କ ଠିକ୍ ନଥିବା ହେଉଥିଲା ଚର୍ଚ୍ଚା। ଅନେକ ସମୟରେ ଗଣମାଧ୍ୟମରେ ପ୍ରତିକ୍ରୟା ରଖିଥିଲେ ଅରିନ୍ଦମ ସେ ଦଳରେ ଅନେକ ଦିନ ହେବ କାର୍ଯ୍ୟ କରିଛନ୍ତି।

ଇସ୍ତଫା ଦେବାର ଘଣ୍ଟାଏ ନ ପୂରୁଣୁ ବିଜେପିରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶୁକ୍ରବାର ସେ ପଦ୍ମ ଧରିଛନ୍ତି। ତେବେ ବିଜେପିରେ ସାମିଲ ହେବା ପରେ ଅରିନ୍ଦମ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ସହ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଭାଜପାରେ ସାମିଲ ହୋଇଥିବା କହିଛନ୍ତି।

ବିଜେଡି ଛାଡ଼ିବା ନେଇ ଅରିନ୍ଦମ ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଥିଲି। ପୂର୍ବରୁ ବିଜେଡିରେ ଯେଉଁଭଳି କାମ ହେଉଥିଲା ବର୍ତ୍ତମାନ ସେସବୁ ଶୈଳୀ ବଦଳି ଯାଇଛି, ଯାହା ସହ ମୁଁ ଖାପ ଖୁଆଇ ପାରିଲି ନାହିଁ। ଏଣୁ କେଉଁଠି ନା କେଉଁଠି ବିଜେଡିରେ କାମ କରିବାର ଆଉ ସୁଯୋଗ ନାହିଁ ବୋଲି ଅନୁଭବ କଲି। ଯେତେବେଳେ ସୁଯୋଗ ଥିଲା ବହୁତ କାର୍ଯ୍ୟ କରିଛି। ଏବେ ଯେଉଁଠୁ ସ୍ବାଗତ, ସମ୍ମାନ, ଭଲପାଇବା ମିଳିଲା ମୁଁ ସେ ଦଳକୁ ଆସିଲି ବୋଲି ସେ କହଛନ୍ତି।

ଇସ୍ତଫାପତ୍ରରେ ଅରିନ୍ଦମ ଲେଖିଛନ୍ତି , ମୁଁ ୨୦୦୯ ମସିହାରେୁ ବିଜେଡିରେ ଯୋଗଦେଇଥିଲି। ୨୦୧୪ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ କାମ କରିଛି। କଟକ, ତିର୍ତ୍ତୋଲ ସହିତ କୋରାପୁଟରେ ଜିଲ୍ଲା ପରିଷଦ ଓ ମ୍ୟୁନିସିପାଲିଟି ନିର୍ବାଚନରେ ତୃଣମୂଳ ସ୍ତରରେ କାମ କରିଛି। ମୁଁ ମୋ ଦଳର ନେତାଙ୍କୁ ଭେଟିବାକୁ ଉଦ୍ୟମ କରିଛି। କିନ୍ତୁ ସେହି ସୁଯୋଗ ପାଇପାରି ନାହିଁ। ସେ ଇସ୍ତଫା ପତ୍ରରେ ନିଜର କ୍ଷୋଭ ପ୍ରକାଶ କରିଥିଲେ। ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିଲା।

ଦୁଇ ମାସ ତଳେ କଟକ ଧବଳେଶ୍ୱରଠାରେ ଡାକବଙ୍ଗଳାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଥିବା ବେଳେ ତାଙ୍କୁ ଅରିନ୍ଦମ ଭେଟିବା ସହ ଫୁଲତୋଡା ଦେଇଥିଲେ। ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି ୩୦ ମିନିଟ୍ ଧରି ରୁଦ୍ଧଦ୍ୱାର ଆଲୋଚନା ହୋଇଛି। ଦୁଇ ଜଣଙ୍କ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା।