ବଡ଼ ଖବର: ୧୨ ପ୍ରସ୍ତାବକୁ କ୍ୟାବିନେଟରେ ମିଳିଲା ମଞ୍ଜୁରୀ, ବଢ଼ିଲା ଚାକିରୀ ବୟସ ସୀମା….

 

ଓଡ଼ିଶା ସରକାରଙ୍କ ଅଧିନରେ ଚାକିରୀ କରିବାକୁ ଚାହୁଁଛନ୍ତି କି? ତେବେ, ଅପଣଙ୍କ ପାଇଁ ଆସିଛି ଖୁସି ଖବର। ଓଡ଼ିଶା ସରକାରଙ୍କ ଚାକିରୀରେ ବୟସ ସୀମାକୁ ବୃଦ୍ଧି କରାଯାଇଛି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ର ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏହି ବୟସ ସୀମା ୩୨ ବର୍ଷ ରହିଥିବା ବେଳେ ଏବେ ଏହା ୩୮ ବର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ ଆହୁରି ଅଧିକ ୫ ବର୍ଷ କୋହଳ କରାଯାଇଛି। ଅର୍ଥାତ ମହିଳା ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଚାକିରୀ ବୟସ ୪୩ ବର୍ଷ ରଖାଯାଇଛି।ଏହାବ୍ୟତୀତ ଅନ୍ୟ ୧୨ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି।

ଏଥିସହିତ ୫ ଟି ପାନୀୟ ଜଳ ମେଗା ପ୍ରକଳ୍ପ ସହିତ ମୟୁରଭଞ୍ଜ କପ୍ତିପଦା ବ୍ଲକ୍‌ର ୧୫୫ ଗ୍ରାମକୁ ପାନୀୟ ଜଳ ମିଳିବା ସହିତ ଶ୍ୟାମାକୁଦା ଓ ବାରିପଦା ବ୍ଲକ୍‌ର ୨୨୨ ଗ୍ରାମକୁ ପାନୀୟ ଜଳ ସୁବିଧା ମିଳିବା ନେଇ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ଭୁବନେଶ୍ୱର ଆଇଆଇଟିକୁ ବିନା ମୂଲ୍ୟରେ ୬୧୮ ଏକର ୬୬ ଡେସିମିଲ୍‌ ଜମି ଏବଂ NIFTକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯିବାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ସେହିପରି OPSC ଜରିଆରେ ଅବକାରୀ ବିଭାଗର DSPଙ୍କୁ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ସୂଚନା ମିଳିଛି।