ଟିପ ଚିହ୍ନ ନେଇ ଲୋକଙ୍କ ବଢ଼ିଲା ଅଡୁଆ, ୫କିଲୋ ଚାଉଳ ପାଇଁ ପ୍ରବାସରୁ ଫେରିବେ ହଜାର ହଜାର ଲୋକେ, ଜାଣନ୍ତୁ ପୁରା ଖବର
ରାଜ୍ୟରେ ପ୍ରାୟ ୮୫ ଲକ୍ଷ ରାସନ୍ କାର୍ଡ ରହିଛି । ଏହା ଦ୍ୱାରା ୩କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । କିନ୍ତୁ ଦୀର୍ଘବର୍ଷ ଧରି ଯାଞ୍ଚ୍ ହେଉନଥିବାରୁ ଅନେକ କ୍ଷେତ୍ରରେ ମୃତ ହିତାଧିକାରୀଙ୍କ ନାମରେ ବି ଖାଉଟି ସାମଗ୍ରୀ ଉଠୁଥିଲା । ଫଳରେ ହଜାରହଜାର କୁଇଣ୍ଟାଲ ଖାଉଟି ସାମଗ୍ରୀ ବାଟମାରଣା ହୋଇଆସୁଥିଲା ।
ଏଥିରେ ରୋକ୍ ଦେବା ଲାଗି ରାଜ୍ୟ ସରକାର ଖାଉଟି ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି । ରାସନ୍ କାର୍ଡ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ଏହି ଇ-କେୱାଇସି ଲାଗୁ କରାଯାଇଛି । ଅର୍ଥାତ ଗୋଟେ ରାସନ୍ କାର୍ଡରେ ପରିବାର ଯେତେଜଣଙ୍କ ନାମ ରହିଛି ସେମାନେ ସମସ୍ତେ ନିଜର ଫିଙ୍ଗର୍ପ୍ରିଣ୍ଟ ଦେବେ ।
ପ୍ରତ୍ୟେକ ଡିଲର୍ ପଏଣ୍ଟ୍କୁ ଯାଇ ହିତାଧିକାରୀମାନେ ସେମାନଙ୍କ ପରିବାର ସହ ଫିଙ୍ଗର୍ ପ୍ରିଣ୍ଟ୍ ଦେବେ । ଫିଙ୍ଗର୍ ପ୍ରିଣ୍ଟ୍ ନେବା ପରେ ହିତାଧିକାରୀଙ୍କର ନାମ ନବୀକରଣ ହୋଇଗଲା ବୋଲି ଧରାଯିବ । ଯେଉଁମାନେ ଫିଙ୍ଗରପ୍ରିଣ୍ଟ ନଦେବେ ସେମାନଙ୍କ ନାମ ତାଲିକାରୁ ବାସ୍ ଦିଆଯିବ ବୋଲି ଏକ ଅଲିଖିତ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ହଠାତ୍ ଏହି ନିର୍ଦ୍ଦେଶନାମା ଜାରି କରାଯିବା ଫଳରେ ଦୂରରେ ଥିବା ଖାଉଟିଙ୍କୁ ଏହା ଅକଳରେ ପକାଇଦେଇଛି ।
ଯେଉଁମାନେ ପରିବାର ସହ ଗାଁରେ ରହୁଛନ୍ତି ସେମାନଙ୍କ ପାଇଁ ତ’ ଏଥିରେ ବିଶେଷ କ୍ଷତିନାହିଁ । କିନ୍ତୁ ଯେଉଁଠି ପରିବାରର ସଦସ୍ୟ ରୋଜଗାର ପାଇଁ ଘରଠାରୁ ହଜାରହଜାର କିମି ଦୂରରେ ଚାକିରି କରୁଛନ୍ତି ସେମାନଙ୍କୁ ଏବେ ଅବେଳରେ ଘରକୁ ଫେରିବାକୁ ପଡ଼ିବ । ଯଦି ନଆସିଲେ ତାହେଲେ କାର୍ଡରୁ ନିଜ ନାଁ କଟିଯିବାର ଭୟ ।
ତେଣୁ ୫କେଜି ଚାଉଳ ପାଇଁ ଜଣେ ହିତାଧିକାରୀଙ୍କୁ କେବଳ ହଜାରେ କିମି ନୁହେଁ ହଜାରହଜାର ଟଙ୍କା ଖର୍ଚ୍ଚ କରି ଫେରିବାକୁ ପଡ଼ିବ। ଡିଲରଙ୍କୁ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କ ଇ-କେୱାଇସି ନେବାକୁ କୁହାଯାଇଛି । ଏଥିପାଇଁ ଗୋଟେ ମାସ ସମୟ ଦିଆଯାଇଛି ।
ଯଦି ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି ଇ-କେୱାଇସିରେ ନିଜ ନାମକୁ ସାମିଲ୍ କରିପାରିଲେ ନାହିଁ ତାହେଲେ ସେମାନଙ୍କ ନାମକୁ ରାସନ୍ କାର୍ଡ ତାଲିକାରୁ କାଟି ଦିଆଯିବ ବୋଲି ଏ ସଂକ୍ରାନ୍ତରେ ଏକ ଅଲିଖିତ ନିର୍ଦ୍ଦେଶନାମା ମଧ୍ୟ ପ୍ରତ୍ୟେକ ଡିଲରଙ୍କୁ ଦିଆଯାଇଛି । ଡିଲରମାନେ ମଧ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାରେ ଲାଗି ପଡ଼ିଛନ୍ତି । ଏହି ଘୋଷଣା ଦିନଠାରୁ ପ୍ରତ୍ୟେକ ଡିଲର୍ ପଏଣ୍ଟ୍ରେ ସାଧାରଣ ଖାଉଟିଙ୍କ ଜୋର୍ଦାର୍ ଭିଡ଼ ଲାଗିରହିଛି । କିନ୍ତୁ ଯେଉଁମାନେ ଘରେ ନାହାନ୍ତି ସେମାନଙ୍କ ପାଇଁ ଚିନ୍ତା ବଢ଼ିଯାଇଛି।