ରାଜ୍ୟର ପ୍ରଥମ ସରକାରୀ କ୍ରିକେଟ ଷ୍ଟାଡିୟମ ହେବ ଉଦଘାଟନ, ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା, ଜାଣନ୍ତୁ ପୁରା ଖବର

 

ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ନେଇ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ସହ ଖେଳାଳିମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି। ଏହି କ୍ରମରେ ଓଡ଼ିଶାର ପ୍ରତି ଜିଲାରେ ମଧ୍ୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହେଉଛି। ହକି, ଫୁଟବଲ, ଖୋଖୋ, ଭାରୋତ୍ତୋଳନ, ଆଥ୍‌ଲେଟିକ୍‌ସ ଭଳି ଲୋକପ୍ରିୟ କ୍ରୀଡ଼‌ା କ୍ରିକେଟ୍‌କୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି।

ବିଗତ ଦିନରେ ଓଡ଼ିଶାରେ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବା ସହିତ ବିଭିନ୍ନ କ୍ରୀଡ଼ାର ଏନ୍ତୁଡ଼ିଶାଳ ଭାବେ ରାଜ୍ୟ ଆଗକୁ ବଢ଼ିବାରେ ଲାଗିଛି। ଏଥିସହିତ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରୁଥିବା କ୍ରୀଡ଼ାବିତଙ୍କ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରୁଛନ୍ତି। ତେବେ ଏହା ମଧ୍ୟରେ ରାଜ୍ୟର କ୍ରୀଡ଼ା ସହ ଯୋଡ଼ି ହେବାକୁ ଯାଉଛି ପୁଣି ଏକ ଗୌରବମୟ ଇତିହାସ।

କ୍ରିକେଟ ଖେଳକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପୁରୀରେ ନିର୍ମିତ ହୋଇଛି ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡ଼ିୟମ। ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡ଼ିୟମ ରାଜ୍ୟର ପ୍ରଥମ ସରକାରୀ କ୍ରିକେଟ ଷ୍ଟାଡ଼ିୟମ ଭାବେ ନିର୍ମାଣ କରାଯାଇଛି। ପୁରୀ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁଙ୍କ ସୂଚନାନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡ଼ିୟମର ଭିତ୍ତିପ୍ରସ୍ତର ୨୦୧୮ରେ ହୋଇଥିଲା। ଉକ୍ତ ଷ୍ଟାଡ଼ିୟମ ୨୦୨୩ ସେପ୍ଟେମ୍ବରରେ ଶେଷ ହୋଇଛି।

ଷ୍ଟାଡ଼ିୟମର ପିଚ୍‌, ଆଉଟ୍‌ଫିଲ୍ଡ ଆଇସିସି ଷ୍ଟାଣ୍ଡାର୍ଡର ରହିଛି। ଏହାଛଡ଼ା ୯୦ ମିଟର ବାଉଣ୍ଡାରୀ ମଧ୍ୟ ରହିଛି। ଖେଳାଳିମାନଙ୍କ ଲାଗି ଡ୍ରେସିଂ ରୁମ, ଦର୍ଶକମାନଙ୍କ ଲାଗି ଗ୍ୟାଲେରୀ ସୁବିଧା ମଧ୍ୟ ରହିଛି। ଅଭ୍ୟାସ ପାଇଁ ମଧ୍ୟ ସ୍ବତନ୍ତ୍ର ଗ୍ରାଉଣ୍ଡ ରହିଛି। ଏବେ ଏଠାରେ ନୂଆ ଓ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଏବେ ଆୟୋଜିତ ହେଉଛି ବୋଲି ଡିଏସ୍‌ଓ ଶ୍ରୀ ସାହୁ କହିଛନ୍ତି।

ଏବେ ଏହି ଷ୍ଟାଡିୟମରେ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ଆଗାମୀ ଦିନରେ ବିସିସିଆଇ ସେଠାରେ ରଣଜୀ ଟ୍ରଫି ସହ ବିଭିନ୍ନ ବର୍ଗର ମ୍ୟାଚ ଆୟୋଜନ କରିବାର ଲକ୍ଷ୍ୟ ରହିଛି । ଚଳିତ ମାସ ଶେଷ ଆଡ଼କୁ ଏହି ଷ୍ଟାଡିୟମ ଉଦଘାଟିତ ହେବାର ଯୋଜନା ରହିଥିବା ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି ।