କଟକରେ ଚଳାଇଥିଲେ ରାକେଟ, ମନଭରି ଉପଭୋଗ ପରେ ବେପାରରେ ଲଗାଉଥିଲେ ଦଲାଲ, ଜାଣନ୍ତୁ ପୁରା ଘଟଣା

 

ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକା ଓ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାକୁ ନେଇ କମିସନରେଟ୍ ପୁଲିସ ସଜାଗ ଅଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର। ଏଣେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି ଯେ ବାଲିଯାତ୍ରା ସହ ବାଂଲାଦେଶୀ ଯୁବତୀମାନଙ୍କର କୌଣସି ସଂପର୍କ ନାହିଁ।

ସୂଚନାଯୋଗ୍ୟ, କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶ ଢାକାର ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତ ଗୋଟିଏ ଦିନରେ ୧୫ ଥର ଦୁଷ୍କର୍ମ କରିବା ଭଳି ତଥ୍ୟ ସାମନାକୁ ଆସିଛି। ଉଦ୍ଧାର ହୋଇଥିବା ନାବାଳିକାଙ୍କ ବୟସ ୧୬ । ସୋସିଆଲ ମିଡିଆରେ ଚାକିରିର ଅଫର ଦେଇ ତାଙ୍କୁ ଓଡ଼ିଶା ଅଣାଯାଇଥିବା ସ୍ପଷ୍ଟ ହୋଇଛି । ରାକେଟରେ ଥିବା ଯୁବକମାନଙ୍କ ବିଷୟରେ ନାବାଳିକା ବେଶୀ କିଛି କହିପାରୁନାହାନ୍ତି।

ନାବାଳିକାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଉଛି । ନାବାଳିକାଙ୍କୁ ଦୁଷ୍କର୍ମ ସଂପର୍କରେ ସ୍ପଷ୍ଟ ହୋଇନଥିବା କହିଛନ୍ତି ଡିସିପି । ନାବାଳିକାଙ୍କ ବାବଦରେ ସବିଶେଷ ତଥ୍ୟ ପାଇଁ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯିବ । ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ଡିସିପି ।

ଏହାକୁ ନେଇ କଟକ କମିସନରେଟ୍ ପୁଲିସ ତନାଘନା ଆରମ୍ଭ କରିବା ସହିତ ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଦଲାଲମାନେ ହେଉଛନ୍ତି ଲିଟନ ଦାସ, ମୌସୁମୀ, ବାବୁ ଦାସ, ଗୋପୀ ଓ ମାୟା। ପୁଲିସ ବିଏନ୍ଏସ୍ର ଧାରା ୧୪୩ (୪), ୧୪୪(୧), ୩(୫),୬୪(୧), ୬ ପୋକସୋ ଏବଂ ୫ ଆଇଟିପି ଆକ୍ଟରେ ମାମଲା(୩୦୭/୨୪) ରୁଜୁ କରିଛି।