ଏମିତି ବି ଆସେ ମୃତ୍ୟୁ! ଦାଣ୍ଡରୁ ଉଠିନି ସ୍ୱାମୀଙ୍କ କୋକେଇ ସ୍ୱାମୀ ପଛେ ପଛେ ଚାଲିଗଲା ସ୍ତ୍ରୀର ଜୀବନ, ପୁରା ଘଟଣା ଜାଣି ହେବେ ଦୁଃଖିତ

 

ସ୍ୱାମୀଙ୍କ ଜୁଇ ନ ଲିଭୁଣୁ ଜଳିଥିଲା ପତ୍ନୀଙ୍କ ଚିତା । ଏକା ସାଥିରେ ପତି-ପତ୍ନୀ ଛୁଆ ତାଙ୍କ ଦୁଇ ସନ୍ତାନଙ୍କୁ ଅନାଥ କରି ଚାଲିଗଲେ । ଭୋରରୁ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ମଧ୍ୟାହ୍ନରେ ଆଖି ବୁଜିଲେ ପତ୍ନୀ । ମାତ୍ର ୭ ଘଣ୍ଟା ବ୍ୟବଧାନରେ ଶିକ୍ଷାବିତ୍ ତଥା ଜଗତପୁରସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ପୂର୍ବତନ ମୁଖ୍ୟ ଅଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ୱାଳ(୬୨) ଓ ତାଙ୍କ ପତ୍ନୀ ଝରଣା ଜେନା(୫୩)ଙ୍କ ପରଲୋକ ଘଟିଛି ।

ସତରେ ମରଣ ଏମିତି ବି ଆସେ । ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଉଭୟ l ପରସ୍ପର ସୁଖରେ ଦୁଃଖରେ ସାଥୀ ହୋଇ ରହିବେ ବୋଲି ବ୍ରାହ୍ମଣ ପୁରୋହିତଙ୍କ ଆଗରେ ହୋମ ନିଆଁକୁ ସାକ୍ଷୀ ରଖି ଶପଥ ନେଇଥିଲେ l ବିବାହ ପରେ ବେଶ୍ ହସଖୁସିରେ ଘର ସଂସାର ଚାଲିଥିଲା l ହେଲେ ବିଧିର ବିଧାନ ବଡ଼ ବିଚିତ୍ର l ସେମାନଙ୍କ କପାଳରେ ଅନ୍ୟ କିଛି ଲେଖା ଥିଲା । ବେଦିର ଶପଥ ମରଣ ଯାଏ ବରଣକୁ ସେମାନେ ସତ କରି ଦେଲେ । ସାଙ୍ଗ ହୋଇ ଜଳିଲେ ପାଖାପାଖି ଜୁଇରେ l ସ୍ବାମୀଙ୍କ ଜୁଇରେ ନିଆଁ ଲାଗିଲା ପରେ ହୃଦଘାତ ହେଲା ପତ୍ନୀଙ୍କର । ସେଇଠି ଚାଲିଗଲେ ସେ ।

ଆଗପଛ ହୋଇ ଶିକ୍ଷାବିତ୍ ଦମ୍ପତିଙ୍କ ଦେହାନ୍ତ ଘଟଣା କଟକ ମହାନଦୀ ବିହାର ଅଞ୍ଚଳ ସମେତ ଜନ୍ମସ୍ଥାନ ମାହାଙ୍ଗା ଅଡ଼ମ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଶ୍ରୀ ବିଶ୍ୱାଳ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବାବେଳେ ସ୍ୱାମୀଙ୍କ ଦେହାନ୍ତ ଖବର ଶୁଣିବା ପରେ ପତ୍ନୀ ଝରଣାଙ୍କ ହୃଦ୍ଘାତରେ ପରଲୋକ ଘଟିଛି । ଶିକ୍ଷାବିତ୍ ତଥା ସାହିତ୍ୟିକ ଶ୍ରୀ ବିଶ୍ୱାଳ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଏସ୍ସିବି ମେଡିକାଲରେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଆଜି ପ୍ରାୟ ଭୋର ୪ଟା ସମୟରେ ମସ୍ତିସ୍କାଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଶ୍ରୀ ବିଶ୍ୱାଳଙ୍କ ପରଲୋକ ପରେ ପରିବାର ଲୋକେ, ଆତ୍ମୀୟସ୍ୱଜନ, ବନ୍ଧୁ ଓ ଶୁଭେଚ୍ଛୁମାନେ ଏସ୍ସିବି ମେଡିକାଲରୁ ମୃତଦେହ ନେଇ ମହାନଦୀ ବିହାରସ୍ଥିତ ବାସଭବନରେ ପହଞ୍ଚିଥିଲେ । ପରଲୋକ ଖବରପାଇ ବହୁ ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନ୍ତ୍ୟେଷ୍ଟି ଲାଗି ପରିବାର ଲୋକେ ମୃତଦେହକୁ ମାହାଙ୍ଗା ବ୍ଲକ୍ ଅଡ଼ମସ୍ଥିତ ଜନ୍ମସ୍ଥାନକୁ ନେଇଥିଲେ । ଗାଁ ଶ୍ମଶାନରେ ଶେଷକୃତ୍ୟ ଚାଲିଥିଲା । 

ପୁଅ ସ୍ୱାଧୀନ ବିଶ୍ୱାଳ ବାପାଙ୍କୁ ମୁଖାଗ୍ନି ଦେବାର କେଇ ମୁହୂର୍ତ୍ତ ପରେ ତାଙ୍କ ପାଇଁ ଆଉ ଏକ ବଡ଼ ଦୁଃଖଦ ଖବର ଶ୍ମଶାନରେ ପହଞ୍ଚିଥିଲା । ବାପାଙ୍କ ଜୁଇ ଜଳୁଥିବା ବେଳେ ମା’ ଝରଣାଙ୍କ ଦେହନ୍ତ ହୋଇଥିବା ଜଣାପଡ଼ିଥିଲା । ଫଳରେ ଆତ୍ମୀୟମାନେ ପୁଣି ଘରମୁହାଁ ହୋଇ ଝରଣାଙ୍କ ମୃତଦେହକୁ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ । ସ୍ୱାମୀଙ୍କ ଜୁଇ ପାଖରେ ଜଳିଥିଲା ଝରଣାଙ୍କ ଜୁଇ । ଏକାଠି ଦମ୍ପତିଙ୍କ ଜୁଇ ଜଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।