ଆଶ୍ଚର୍ଯ୍ୟ, ଛତିଶଗଡ଼ରୁ ମହାନଦୀରେ ଭାସି ଆସିଲେ ମହିଳା, ଦୀର୍ଘ ଘଣ୍ଟା ପହଂରି ପହଂରି ଓଡିଶାରେ ବଞ୍ଚିଗଲେ, ଜାଣନ୍ତୁ ପୁରା ଘଟଣା
ଛତିଶଗଡ଼ରୁ ହୀରାକୁଦ ଜଳଭଣ୍ଡାରରେ ଭାସି ଆସିଲେ ଜଣେ ମହିଳା । ମହାନଦୀ ହୀରାକୁଦ ଜଳଭଣ୍ଡାରରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମହିଳା ଜଣକୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ପଲସଦା ଘାଟରୁ ଉଦ୍ଧାର କରାଯାଇଛି। ଉଦ୍ଧାରପରେ ଉକ୍ତ ମହିଳାଙ୍କୁ ନିକଟସ୍ଥ ଥାନାକୁ ନେଇ ଯାଇଥିବା ଜଣାପଡ଼ିଛି।
୫୦ କିଲୋମିଟର ଭାସିବା ପରେ ଛତିଶଗଡ଼ର ସରୋଜିନୀ ରଣବୀର ନାମକ ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସରୋଜିନୀ ରଣବୀରଙ୍କ ଘର ଛତିଶଗଡ଼ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡ଼ିଛି।
ସେ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ । ତାଙ୍କ ମାନସିକ ଅବସ୍ଥା ଠିକ୍ରହୁ ନ ଥିବାରୁ ପରିବାର ଲୋକେ ତାଙ୍କ ଗୋଡ଼ରେ ବେଡ଼ି ପକାଇ ରଖୁଥିଲେ । ମାତ୍ର ଗତକାଲି କୌଣସି ପ୍ରକାରେ ସେ ଘରୁ ଖସି ଆସି ନିକଟସ୍ଥ ମହାନଦୀ ନିକଟକୁ ଚାଲି ଆସିଥିଲେ । ସେଠାରେ ସେ ପାଣିକୁ ଖସି ପଡ଼ିଥିଲେ ।ଏବେ ବନ୍ୟା ଜଳ ଯୋଗୁ ମହାନଦୀ ଫୁଲିଥିବା ବେଳେ ପାଣିର ସ୍ରୋତ ବି ପ୍ରଖର ରହିଛି । ଏହାସତ୍ତ୍ୱେ ମହିଳାଜଣକ ଗତକାଲିଠୁ ପାଦରେ ବେଡି ପଡ଼ିଥିବା ଅବସ୍ଥାରେ ଭାସି ଭାସି ଆଜି ଝାରସୁଗୁଡ଼ା ପଲସଦାରେ ଲାଗିଥିଲେ।
ଏଠାରେ ମାଛ ମାରୁଥିବା ବେଳେ ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଛନ୍ତି। ମହିଳାଙ୍କୁ ପଚରାଉଚରା କରିବାରୁ ତାଙ୍କ ନାମ ସରୋଜିନୀ ରଣବୀର ବୋଲି କହିଛନ୍ତି। ତାଙ୍କ ଗୋଡ଼ରେ ଲୁହା ବେଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ସେ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଆସିଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ।