ଓଡ଼ିଶା ଆସି ନବୀନ ଓ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି, ଓଡ଼ିଶାକୁ ନେଇ କହିଦେଲେ ବଡ଼ କଥା, ଜାଣନ୍ତୁ ପୁରା ଖବର

 

ରାହୁଲ ଗାନ୍ଧି ମଙ୍ଗଳବାର ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାର ବୀରମିତ୍ରପୁରରେ ପ୍ରବେଶ କରିଥିଲେ। ମାତ୍ର ମଙ୍ଗଳବାର ସେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହି ନ ଥିଲେ। ହେଲେ ବୁଧବାର ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ରାହୁଲ ଗାନ୍ଧି ବାହାରି ସିଧାସଳଖ ଉଦିତନଗର ଛକକୁ ଯାଇଥିଲେ। ସେଠାରେ ସେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ।

ରାହୁଲ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ୍ କହିଛନ୍ତି- ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର। ବିଜେପି ଓ ବିଜେଡି ଭାଗିଦାରୀରେ ଚାଲିଛି ଏହି ସରକାର। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଲୋକ ଓଡ଼ିଶାରେ ହିଁ ଅଛନ୍ତି। ଏଠାରେ ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ସୁରକ୍ଷିତ ନୁହନ୍ତି। ସେମାନଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି।

ରାଜ୍ୟର ୩୦ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ୩୦ ଜଣ ଉଦ୍ୟୋଗପତି ଆସି ଓଡ଼ିଶାକୁ ଲୁଟିବାକୁ ବସିଛନ୍ତି । ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବେରୋଜଗାରୀ ବୃଦ୍ଧି ପାଇଛି । ଅନ୍ୟପଟେ କଂଗ୍ରେସ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି ।

ବୁଧବାର ରାଉରକେଲା ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ ସହ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧି । ଉଦିତନଗରରୁ ପାନପୋଷ ଛକ ଯାଏ ପଦଯାତ୍ରା କରିଥିଲେ । ଏଥିରେ ତାଙ୍କ ସହ ସାମିଲ ହୋଇଥିଲେ ପିସିସି ସଭାପତିଙ୍କ ସମେତ ବରିଷ୍ଠ ନେତା ଓ କର୍ମୀ । ଏହାପରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ରାହୁଲ । 

କାଲି ସକାଳେ ଝାରସୁଗୁଡା ସହରାଞ୍ଚଳ, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ହୋଇ ଓଡିଶା - ଛତିଶଗଡ଼ ସୀମା ରେଙ୍ଗାଲପାଲି ଯାଏ ଚାଲିବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏହାପରେ ଛତିଶଗଡ଼ ଯିବେ ରାହୁଲ ଗାନ୍ଧି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାହୁଲଙ୍କ ଗସ୍ତ ପ୍ରଭାବ ପକାଇବ ବୋଲି ଆଶା ରଖିଛନ୍ତି ରାଜ୍ୟ କଂଗ୍ରେସ ନେତୃତ୍ବ ।